ଶୀତରେ ଥରୁଥିଲେ ଭିକାରି, ପାଖରେ ଗାଡ଼ି ଅଟକାଇଲେ ଡିଏସ୍‌ପି; ପରେ ଯାହା ଘଟିଲା ଜାଣିଲେ ଆଖିରେ ଆସିଯିବ ଲୁହ

ଏମିତି ଅନେକ ଥର ହୋଇଛି କି ରାସ୍ତାକଡ଼ରେ ଭିକ ମାଗୁଥିବା ବ୍ୟକ୍ତି ମଧ୍ୟ ଅନେକ ପାଣ୍ଡିତ୍ୟର ଅଧିକାରୀ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେହିପରି ଏକ ଘଟଣା ମଧ୍ୟପ୍ରଦେଶର ଗ୍ବାଲିୟରରେ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଭିକାରିକୁ ଦେଖି ଗାଡ଼ି ଅଟକାଇଥିଲେ ଡିଏସ୍‌ପି ରତ୍ନେଶ ସିଂହ ଏବଂ ବିଜୟ ସିଂହ। ଝାନ୍‌ସୀ ରୋଡରେ ଯାଉଥିବା ସମୟରେ ଫୁଟପାଥ୍‌ରେ ୫୦ ବର୍ଷର ଜଣେ ଭିକାରି ଶୀତରେ ଥରୁଥିବା ଦେଖିବାକୁ ପାଇଥିଲେ। ଭିକାରିଙ୍କୁ ଦେଖି ଡିଏସ୍‌ପି ଗାଡ଼ି ଅଟକାଇ ତାଙ୍କ ନିକଟକୁ ଯାଇଥିଲେ। ଏହି ଦୁଇ ଅଧିକାରୀ ଭିକାରିଙ୍କୁ ଜୋତା, ଜ୍ୟାକେଟ୍‌ ଦେଇଥିଲେ। ପରେ ତିନିଜଣଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହା ପରେ ଯାହା ଜାଣିଲେ ଏହି ଦୁଇ ଅଫିସର ହତପ୍ରଭ ହୋଇଗଲେ। କାରଣ ଭିକାରି ଜଣଙ୍କ ତାଙ୍କ ବ୍ୟାଚ୍‌ର ଅଫିସର ଥିଲେ।
କୌଣସି କାରଣ ବଶତଃ ସେ ୧୦ ବର୍ଷ ହେଲା ଭିକ ମାଗୁଛନ୍ତି। ସେ ପୋଲିସ ଅଫିସର ଥିଲେ। ତାଙ୍କ ନାମ ମନୀଷ ମିଶ୍ର। ସୂଚନା ଅନୁଯାୟୀ, ମନୀଷ ମଧ୍ୟପ୍ରଦେଶର ବିଭିନ୍ନ ଥାନାରେ ଥାନାଧିକାରୀ ଥିଲେ। ୨୦୦୫ ପର୍ଯ୍ୟନ୍ତ ମନୀଷ ଚାକିରି କରିଥିଲେ। ତାଙ୍କର ଶେଷ ପୋଷ୍ଟିଂ ଥିଲା ଦାତିୟାରେ। ହଠାତ୍‌ ତାଙ୍କ ମାନସିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ଘରଲୋକେ ଚିନ୍ତାରେ ପଡ଼ିଗଲେ। ଚିକିତ୍ସା ପାଇଁ ବିଭିନ୍ନ ଆଡ଼େ ନେଲେ। ମାତ୍ର ଭଲ ହେଲେ ନାହିଁ। କିଛି ଦିନ ପରେ ମନୀଷ କେଉଁଆଡ଼େ ଚାଲିଗଲେ ପରିବାର ଲୋକେ ଖୋଜଖବର ପାଇଲେ ନାହିଁ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ପତ୍ର ବି ଦେଇଦେଲେ। ଧୀରେ ଧୀରେ ସେ ଭିକ ମାଗିଲେ। ମନୀଷଙ୍କ ଏହି ଦୁଇ ସାଙ୍ଗ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ। ଏହା ପରେ ମନୀଷଙ୍କୁ ଏକ ସମାଜସେବୀ ସଂସ୍ଥାକୁ ପଠାଇଦେଲେ। ଏଠାରେ ମନୀଷଙ୍କ ଦେଖାଶୁଣା କରାଯାଉଛି। ମନୀଷଙ୍କ ଭାଇ ମଧ୍ୟ ପୋଲିସରେ। ତାଙ୍କ କାକା ବି ଏସ୍‌ଏସ୍‌ପି ପଦବୀରୁ ଅବସର ନେଇଛନ୍ତି। ତାଙ୍କ ଭଉଣୀ ମଧ୍ୟ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ। ମନୀଷଙ୍କୁ ଛାଡ଼ପତ୍ର ଦେଇଥିବା ତାଙ୍କ ସ୍ତ୍ରୀ ମଧ୍ୟ ନ୍ୟାୟିକ ବିଭାଗରେ ଜଣେ ପଦସ୍ଥ ଅଧିକାରୀ। ମନୀଷଙ୍କଠାରୁ ସମସ୍ତ କଥା ଶୁଣି ସାରିବା ପରେ ତିନି ବନ୍ଧୁଙ୍କ ମଧ୍ୟରେ ଏକ ମହାମିଳନ ହୋଇଥିଲା।

Share