ଜ୍ୟୋତିର୍ବିଜ୍ଞାନର ଆଦିପର୍ବ

(ଶେଷ ଭାଗ)
ଉଲ୍ଲେଖନୀୟ ଯେ, ଅଧିକାଂଶ ଜ୍ୟୋତିର୍ବିଦ କେପଲରଙ୍କ ସମୟରେ କପରନିକ୍‌ସଙ୍କ ଖଗୋଳୀୟ ତତ୍ତ୍ୱକୁ ଗ୍ରହଣ କରି ସାରିଥିଲେ। କିନ୍ତୁ ସେମାନଙ୍କର ବିଶ୍ୱାସ ଥିଲା ଯେ, ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହମାନେ ବୃତ୍ତାକାର କକ୍ଷରେ ଭ୍ରମଣ କରନ୍ତି। ତେବେ କେପଲ୍‌ର ମଙ୍ଗଳ ଗ୍ରହର କକ୍ଷ ବିଷୟରେ ଯେଉଁ ନୂତନ ବାର୍ତ୍ତା ଦେଲେ, ତାହା ଆଲୋଡନ ସୃଷ୍ଟି କଲା। ତାଙ୍କ ନୂତନ ତତ୍ତ୍ୱକୁ ବଳଶାଳୀ କରିବା ପାଇଁ ସେ ବ୍ରାହେ ପୂର୍ବରୁ ଯେଉଁ କଷ୍ଟସାଧ୍ୟ ନିର୍ଭୁଲ ପର୍ଯ୍ୟବେକ୍ଷଣ ଗ୍ରହମାନଙ୍କ ସମ୍ପର୍କରେ ପ୍ରସ୍ତୁତ କରିଥିଲେ, ତାହା ସବୁ ବିନିଯୋଗ କଲେ। ବହୁ ଚେଷ୍ଟା ସତ୍ତ୍ୱେ ସେ ଦେଖିଲେ ଯେ, ମଙ୍ଗଳ କକ୍ଷରେ ସଠକତାଠାରୁ ଚାପର ଆଠ ମିନିଟ୍‌ ତଫାତ ରହିଯାଉଛି। କିନ୍ତୁ ଏହି ଚିନ୍ତାଜନକ ବ୍ୟତିକ୍ରମ ପରିଶେଷରେ ତାଙ୍କୁ ଯୁଗାନ୍ତକାରୀ ତିନୋଟି ଗ୍ରହ ସମ୍ପର୍କିତ ନିୟମ ପ୍ରଣୟନ ପାଇଁ ସୁଯୋଗ ଦେଲା। ଦୁର୍ବଳ ଦୃଷ୍ଟିଶକ୍ତି ଓ ବେତଙ୍ଗିଆ ଗାଣିତିକ ହିସାବ ସତ୍ତ୍ୱେ ସେ ଛଅ ବର୍ଷ ପରେ ଉକ୍ତ ନଗଣ୍ୟ ଫରକ୍‌ର ଚମତ୍କାର ସମାଧାନ କଲେ। କେବଳ ମଙ୍ଗଳ ନୁହେଁ, ସୌରମଣ୍ଡଳର ଅନ୍ୟ ଗ୍ରହମାନଙ୍କ ସକାଶେ ତାଙ୍କ ନିୟମ ପ୍ରଯୁଜ୍ୟ ହେଲା। ଏଥିରେ ସୂର୍ଯ୍ୟ ଚାରିପଟେ ଥରେ ଘୂରିବା (ରିଭୋଲ୍ୟୁଶନ) ବା ପରିକ୍ରମଣ ଅବଧି ଓ ସୂର୍ଯ୍ୟଠାରୁ ଗ୍ରହର ଦୂରତା ମଧ୍ୟରେ ଗାଣିତିକ ସମ୍ପର୍କ ରହିଛି। ‘କେପଲ୍‌ରସ ନିୟମ ଭାବେ ନାମିତ ଏହି ନିୟମାନୁସାରେ, ସମସ୍ତ ଗ୍ରହଙ୍କର କକ୍ଷ ହେଉଛି ଦୀର୍ଘ ବୃତ୍ତୀୟ (ଏଲିଷ୍ଟିକାଲ)। ଏହାର କେନ୍ଦ୍ର (ଫୋକସ)ରେ ସୂର୍ଯ୍ୟ ଅବସ୍ଥିତ। କକ୍ଷ ପଥରେ ଗ୍ରହର ଗତି ଏମିତି ହୋଇଥାଏ ଯେ, ଏହା ସହ ସୂର୍ଯ୍ୟକୁ ଯୋଡୁଥିବା ସରଳ ରେଖାଟି କିଛି ନିର୍ଦ୍ଦିଷ୍ଟ ସମୟରେ ସମାନ ଆୟତନ ଅତିକ୍ରମ କରେ। ଗ୍ରହଟି କକ୍ଷରେ ଯେଉଁଠାରେ ଥିଲେ ମଧ୍ୟ ଏହା ପ୍ରଯୁଜ୍ୟ। ଗ୍ରହର ପରିକ୍ରମଣ-ଅବଧିର ବର୍ଗ ଓ କକ୍ଷର ଅର୍ଦ୍ଧ-ଦୀର୍ଘ-ଅକ୍ଷ (ସେମି-ମେଜର-ଏକ୍ସିସ)ର ଘନଫଳ (କ୍ୟୁବ) ସହ ସମାନୁପାତିକ। ଏହି ତିନୋଟି ନିୟମ ଯଥାକ୍ରମେ ‘ଲ ଅଫ୍‌ ଅର୍ବିଟସ’, ‘ଲ’ ଅଫ୍‌ ଇକ୍ୱେଲ ଏରିଆସ’ ଏବଂ ‘ଲ ଅଫ୍‌ ପିରିଅଡସ’ ଭାବରେ ପରିଚିତ। ଏହା ଉପରେ ଅଧିକ ତର୍ଜମା ପରବର୍ତ୍ତୀ କାଳରେ ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କୁ ମାଧ୍ୟାକର୍ଷଣ ଶକ୍ତିର ନିୟମ ପ୍ରଣୟନ ପାଇଁ ଖୋରାକ୍‌ ଯୋଗାଇଲା। ପ୍ରକାଶ ଥାଉ କି, ବ୍ରାହେଙ୍କ ସହାୟକ କେପଲ୍‌ର ଓ ଖୋଦ୍‌ ବ୍ରାହେଙ୍କ ଗ୍ରହ-ମଣ୍ଡଳୀୟ ମଡେଲ ମଧ୍ୟରେ ମୌଳିକ ଭାବେ ପାର୍ଥକ୍ୟ ଥିଲା, ଯଦିଓ କେପଲର ବ୍ରାହେଙ୍କ ପର୍ଯ୍ୟବେକ୍ଷଣ ଡାଟା ବ୍ୟବହାର କରିଥିଲେ। ସମୀକ୍ଷକଙ୍କ ମତରେ କେପଲରଙ୍କୁ ‘ଆଧୁନିକ ଜ୍ୟୋତିର୍ବିଜ୍ଞାନର ଜନକ’ ଭାବେ ଆଖ୍ୟାୟିତ କରାଯାଇଛି।
-ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବଡଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩