କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ, ୨୧।୭: ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଏବଂ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି)
ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ସୋମବାର ମାନବ ପରୀକ୍ଷଣ(ହ୍ୟୁମାନ ଟ୍ରାଏଲ୍‌) ଆରମ୍ଭ ହୋଇଛି। ଏହାର ପ୍ରଥମ ପର୍ଯ୍ୟାୟ ଫଳାଫଳ ମିଳିବାକୁ ଗବେଷକଙ୍କୁ ଅନୂ୍ୟନ ୩ ମାସ ଲାଗିଯିବ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍‌ ଗୁଲେରିଆ କହିଛନ୍ତି। କୋଭିଡ୍‌-୧୯ ପାଇଁ ସଞ୍ଜିବନୀ କୁହାଯାଉଥିବା କୋଭାକ୍ସିନ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ରେ ଆରମ୍ଭ ହୋଇଛି। ଭୁବନେଶ୍ୱର ସମ୍‌ ହସ୍ପିଟାଲ ସମେତ ଦେଶର ୧୨ଟି ହସ୍ପିଟାଲରେ ଏହି ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
କୋଭାକ୍ସିନ୍‌ ଟିକାର ମାନବ ପରୀକ୍ଷଣ ନିମନ୍ତେ ଗତ ୧୮ତାରିଖରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜେଆଇ) ସବୁଜ ସଙ୍କେତ ଦେଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଏହି ପରୀକ୍ଷଣ ୧୨ଟି ମେଡିକାଲ୍‌ରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ୧୮୦୦ ସେଚ୍ଛାସେବୀ ପର୍ଯ୍ୟାୟ-୧ ଏବଂ ୨ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଏହି ପରୀକ୍ଷଣ ୧୮ ରୁ ୫୫ବର୍ଷୀୟ ଲୋକଙ୍କଠାରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୭୫ ସ୍ବେଚ୍ଛାସେବୀଙ୍କଠାରେ କୋଭାକ୍ସିନ ପରୀକ୍ଷଣ ହେବ। ସେଥିମଧ୍ୟରୁ ୧୦୦ପରୀକ୍ଷଣ ଦିଲ୍ଲୀସ୍ଥିତ ଏମ୍‌ସରେ କରାଯିବ ବୋଲି ଜଣାପଡ଼ିଛି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ୧୨ରୁ ୬୫ ବର୍ଷ ବୟସ ବର୍ଗର ୭୫୦ ସ୍ବେଚ୍ଛାସେବୀ ଭାଗ ନେବେ। ତୃତୀୟ ପର୍ଯ୍ୟାୟରେ ଏହାଠାରୁ ଅଧିକ ଲୋକଙ୍କଠାରେ କୋଭାକ୍ସିନର ପରୀକ୍ଷା କରାଯିବ ବୋଲି ଜଣାପଡିଛି।
ଉଭୟ ପୁରୁଷ ଓ ମହିଳା ପରୀକ୍ଷଣରେ ଭାଗ ନେଇପାରିବେ। ତେବେ ଗର୍ଭବତୀ ମହିଳାଙ୍କୁ ଏଥିପାଇଁ ଅନୁମତି ଦିଆଯିବନାହିଁ ବୋଲି ପରୀକ୍ଷା ତଦାରଖ ଦାୟିତ୍ୱରେ ଥିବା କମ୍ୟୁନିଟି ମେଡିସିନ୍‌ ମୁଖ୍ୟ ଡ. ସଞ୍ଜୟ ରାୟ କହିଛନ୍ତି। ନିରାପତ୍ତା ସୁନିଶ୍ଚିତ କରିବା ଉପରେ ପ୍ରାଥମିକତା ଦିଆଯାଉଛି। କେତେଦିନ ପର୍ଯ୍ୟନ୍ତ ଟିକାର ପ୍ରଭାବ ମଣିଷ ଦେହରେ ରହିବ ତାହା ଭୂତାଣୁର ରୂପାନ୍ତରଣ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି।

Share