ବୈଷୟିକ ତ୍ରୁଟି ଦର୍ଶାଇ ଶୁଣାଣି କଲେନି ଖଣ୍ଡପୀଠ

ନୂଆଦିଲ୍ଲୀ/ ଭୁବନେଶ୍ୱର(ବ୍ୟୁରୋ),୧ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟ ଗତ ୯ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଏକାଧିକ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବାକୁ ଥିଲା। ହେଲେ ଏହି ମାମଲାରେ ଟେକ୍ନିକାଲ ଡିଫିକଲ୍ଟି(ବୈଷୟିକ ତ୍ରୁଟି) ଥିବା ଦର୍ଶାଇ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ହିମ କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି କରିପାରି ନାହାନ୍ତି। ଏହି ଆବେଦନଗୁଡ଼ିକର ଶୁଣାଣି ପ୍ରଧାନ ବିଚାରପତିଙ୍କ ପରିସରଭୁକ୍ତ ହୋଇଥିବାରୁ ତାଙ୍କ ବିନା ଅନୁମତିରେ ଶୁଣାଣି ଆମେ ଶୁଣାଣି କରିପାରିବୁ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସ ଏବଂ ୨୭ ତାରିଖରେ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ୍‌ ସ୍ପେଶାଲ ଲିଭ୍‌ ପିଟିଶନ ଆବେଦନ କରିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମଙ୍ଗଳବାର ମାମଲାର ଶୁଣାଣି ପାଇଁ ଲିଷ୍ଟିଂ ବା ତାଲିକାଭୁକ୍ତ କରାଯାଇ ନାହିଁ। ତେଣୁ ଆବେଦନ ଗୁଡ଼ିକର ତ୍ୱରିତ ଶୁଣାଣି ନିମନ୍ତେ ଆଦେନକାରୀ ଘଡ଼େଇଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ଏବଂ ଦାସଙ୍କ ପକ୍ଷରୁ ଆଇନଜୀବୀ ନଚିକେତା ଜୋଷୀ ମଙ୍ଗଳବାର ଖଣ୍ଡପୀଠଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅଦାଲତଙ୍କ ରାୟ ବିରୋଧରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପାଭାନୀ ଦର୍ଶାଇଥିଲେ। ହେଲେ ଆମେ ରେଜିଷ୍ଟ୍ରାରଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରୁଛୁ। ଆମ ହାତ ବନ୍ଧା
ବୋଲି ଦର୍ଶାଇ ଖଣ୍ଡପୀଠ ଶୁଣାଣି କରିବାରୁ ବିରତ ରହିଥିଲେ। ସୋମବାର ଆଇନଜୀବୀ ପାଭାନୀ ଏବଂ ଜୋଷୀ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ବିଚାରପତି ଗଭାଇ ଏବଂ କୋଲିଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ। ଓଡ଼ିଶା ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି କି ନାହିଁ ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ। ହାଇକୋର୍ଟଙ୍କ ମେ’ ୯ ଆଦେଶ ବିରୋଧରେ ଉକ୍ତ ଦୁଇଟି ପିଟିଶନ ଦାଏର କରାଯାଇଥିବା ଆବେଦନକାରୀ ଦର୍ଶାଇଥିଲେ। ଏହା ପରେ ଏହାର ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ ହୋଇଥିଲା। ହେଲେ ଏବେ ଏହାକୁ ଟେକ୍ନିକାଲ ଡିଫିକଲ୍ଟି ଦର୍ଶାଇ ଶୁଣାଣି କରାଯାଇ ନାହିଁ।
ସୂଚନାଯୋଗ୍ୟ, ଗତ ୯ତାରିଖରେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ। ପୁରୀ ଐତିହ୍ୟ ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିରର କ୍ଷତି ହେବା ଆଶଙ୍କା କରି ଏବଂ ଏ ନେଇ କୌଣସି ଅନୁମତି ଦିଆଯାଇ ନ ଥିବା ଦର୍ଶାଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟ ଏଏସ୍‌ଆଇ ରିପୋର୍ଟକୁ ଅଗ୍ରାହ୍ୟ କରିଦେବା ସହ ମନ୍ଦିରର କେଉଁ ଅଂଶ ପ୍ରକୃତରେ କ୍ଷତି ହେବ ସେ ସମ୍ପର୍କରେ ଦର୍ଶାଇବାକୁ ପରାମର୍ଶ ଦେଇଥିଲେ।

Share