ଆଲୋଭେରାର ଉପକାରିତା

ଆଲୋଭେରାରେ ଭରି ରହିଛି ଅନେକ ଔଷଧୀୟ ଗୁଣ; ଯାହାକୁ ବ୍ୟବହାର କରି ଆମେ ଅତି ସହଜରେ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବା। ଯଥା: ଶରୀରର କୌଣସି ସ୍ଥାନ କୁଣ୍ଡାଇ ହେଉଥିଲେ ସେହି ସ୍ଥାନରେ ଆଲୋଭେରା ଜେଲ୍‌କୁ କିଛିଦିନ ଲଗାଇଲେ, ଉକ୍ତ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। କେବଳ କୁଣ୍ଡାଇ ହେବା ନୁହେଁ, ଅନ୍ୟ ଯେ କୌଣସି ଚର୍ମ ରୋଗ ହେଉନା କାହିଁକି ସେହି ସ୍ଥାନରେ ଯଦି ଆଲୋଭେରା ଜେଲ୍‌କୁ ଲଗାଯାଏ ତା’ହେଲେ ମଧ୍ୟ କିଛିଟା ଉପଶମ ମିଳିଥାଏ ବୋଲି ସୂଚନା ଅଛି। ସେହିପରି ଆଲୋଭେରା ଜୁସ୍‌କୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭରି ରହିଥାଏ ଭିଟାମିନ୍‌ ଏ, ଭିଟାମିନ୍‌-ବି ୧୨, ଭିଟାମିନ୍‌ ସି ଏବଂ ଇ। ତା’ସହିତ ଏଥିରେ ଅନେକ ପ୍ରକାରର ମିନେରାଲ୍ସ ବି ରହିଥାଏ; ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଚୁଟିର ଚମକ୍‌ କମିଗଲେ ଅବା ହାତକୁ ରୁକ୍ଷ ଲାଗୁଥିଲେ, ନିୟମିତ ବ୍ୟବଧାନରେ ଚୁଟିରେ ଆଲୋଭେରା ରସ ଲଗାଇବା ଦ୍ୱାରା କିଛିଦିନ ପରେ ଚୁଟିରେ ଚମକ୍‌ ଫେରି ଆସିଥାଏ ।