୧ରୁ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା

ଭୁବନେଶ୍ୱର, ୨୧।୩ (ବ୍ୟୁରୋ): ଓଡ଼ିଆ ପ୍ରଥା, ପରମ୍ପରା, ଭାଷା, ସଂସ୍କୃତି ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ସମ୍ପ୍ରସାରଣ ଉଦ୍ଦେଶ୍ୟରେ ସଂଭାବନା ପକ୍ଷରୁ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେବ। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଝୋଟି, ପିଠା, ଶଙ୍ଖଫୁଙ୍କା, ଢଗ ଢମାଳି, ପାରମ୍ପରିକ ସଙ୍ଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ହୁଳହୁଳି, ଓଡ଼ିଆ ଭାଷା ଜ୍ଞାନ ଓ ଓଡ଼ିଆଣୀ ବେଶଭୂଷା ଆଦିକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଭବିଷ୍ୟତର ଓଡ଼ିଆଙ୍କୁ ଆମର ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ସହ ପରିଚିତ କରିବା ଉଦ୍ଦେଶ୍ୟରେ ‘ଶିଶୁ କିଶୋର ଓଡ଼ିଆ ସ୍ବାଭିମାନ ପ୍ରତିଯୋଗିତା’ ମଧ୍ୟ ଆୟୋଜନ କରାଯିବ। ୫ରୁ ୧୦ ଓ ୧୧ରୁ ୧୭ ବୟସର ଶିଶୁ-କିଶୋରମାନେ ଚିତ୍ରାଙ୍କନ, ହସ୍ତାକ୍ଷର, ଶ୍ରୁତ ଲିଖନ, ଓଡ଼ିଶୀ, ଲଘୁନୃତ୍ୟ, ସୁଗମ ସଙ୍ଗୀତରେ ଦକ୍ଷତା ପ୍ରଦର୍ଶନ କରିବେ ଅନୁଷ୍ଠାନ ପକ୍ଷରୁ ଶନିବାର ସାମ୍ବାଦିକ ସଂଘଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିପାଇଁ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ୨୧ ବର୍ଷରୁ ଊର୍ଦ୍ଧ୍ୱ ବୟସର ପ୍ରତିଯୋଗୀମାନେ ୟୁନିଟ୍‌-୨ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୮ଟା ଯାଏ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ କିମ୍ବା ୯୪୩୭୧୬୪୪୬୧ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଓ ସମ୍ପାଦକ ଦେବ ପ୍ରସାଦ ପରିଜା ସୂଚନା ଦେଇଛନ୍ତି। ଟ୍ରଷ୍ଟି ସ୍ମୃତି ମହାନ୍ତି, ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ, କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share