Categories: ଖେଳ

ସୁରକ୍ଷିତ ହାତରେ ରହିଛି ଏନ୍‌ସିଏର ଦାୟିତ୍ୱ: ଇରଫାନ୍‌

ବାଙ୍ଗାଲୋର,୨୧।୮: ୨୦ ବର୍ଷ ପୂର୍ବେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କ ସମୟରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ଏବେ କୋଚିଂ କ୍ଷେତ୍ରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ରଣଜୀ ଟ୍ରଫିରେ ଜମ୍ମୁ-କଶ୍ମୀର ଦଳର ଅଧିନାୟକ, ପ୍ରଶିକ୍ଷକ ତଥା ପରାମର୍ଶଦାତା ଭାବେ କାମ କରିଥିବା ପୂର୍ବତନ ଅଲରାଉଣ୍ଡର ଇରଫାନ୍‌ ପଠାନଙ୍କ ନାମ ଯୋଡ଼ି ହୋଇଛି। ନିକଟରେ ଇରଫାନ ବାଙ୍ଗାଲୋରର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରୁ ତାଙ୍କର ଲେଭଲ-୨ କୋଚିଂ ପାଠ୍ୟକ୍ରମ ଶେଷ କରିଛନ୍ତି। ଏହାକୁ ନେଇ କ୍ରିକେଟରଙ୍କୁ ପ୍ରଶ୍ନ କରାଯାଇଥିଲା। ଏନ୍‌ସିଏରେ ରାହୁଲ ଦ୍ରାବିଡଙ୍କୁ ନେଇ ସେ କହିଥିଲେ, ନିକଟ ଅତୀତରେ ଭାରତୀୟ କ୍ରିକେଟରେ ଘଟିଥିବା ସର୍ବୋତ୍ତମ ଘଟଣା ହେଉଛି ରାହୁଲଙ୍କ ଏନ୍‌ସିଏ ସହ ଜଡ଼ିତ ହେବା। ମୁଁ ତାଙ୍କର ସମ୍ମାନ କରେ। ସେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ଆନ୍ତରିକତାର ସହ ଏହି ଦାୟିତ୍ୱ ତୁଲାଉଛନ୍ତି ବୋଲି ଇରଫାନ କହିଛନ୍ତି। ଦ୍ରାବିଡଙ୍କ ଭଳି ଜଣେ ବ୍ୟକ୍ତିଙ୍କଠାରୁ ଅଭିଜ୍ଞତା ପାଇବା ବହୁତ ବଡ଼ କଥା। ହେଲେ ସେ ଏହି କାମକୁ ବହୁତ ସହଜରେ କରନ୍ତି। ଏଥିପାଇଁ ଆପଣାଛାଏଁ ତୁମ ମନରେ ସମ୍ମାନ ଭାବନା ଜାତ ହୋଇଥାଏ। ସେ ସମସ୍ତଙ୍କୁ ସମାନ ପ୍ରାଥମିକତା ଦେଇଥାନ୍ତି ବୋଲି କ୍ରିକେଟର ଆହୁରି ମଧ୍ୟ କହିଛନ୍ତି।

Share