Categories: ଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହିଦିନ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’, ଜାରି କଲେ ଅଧିସୂଚନା…

ନୂଆଦିଲ୍ଲୀ,୧୨।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ଦେଶରେ ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ସେ ଘୋଷଣା କରିଛନ୍ତି। ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିବାରୁ ଏହିଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ତେବେ ଏନେଇ କେନ୍ଦ୍ର ସରକାର ମଧ୍ୟ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ଅମିତ ଶାହା କହିଛନ୍ତି, ୧୯୭୫ ଜୁନ ୨୫ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦୀ ଶାସନ କରିଥିଲେ। ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ସେ ଆମ ଗଣତନ୍ତ୍ରର ଆତ୍ମାକୁ ମୂକ କରି ଦେଇଥିଲେ। ବିନା ଦୋଷରେ ଲକ୍ଷ ଲକ୍ଷ ଲୋକଙ୍କୁ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମର ସ୍ବରକୁ ମଧ୍ୟ ଚାପି ଦିଆଯାଇଥିଲା। ସେଥିପାଇଁ ଭାରତ ସରକାର ପ୍ରତିବର୍ଷ ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ସେତେବେଳେର ସରକାରଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାର କରାଯାଇଥିଲା ଏବଂ ଭାରତୀୟଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଇଥିଲା। ତେଣୁ ଏହାକୁ ମନେପକାଇବା ପାଇଁ ଏହି ଦିବସ ପାଳନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।

Share