ବାଲିଗୁଡ଼ା,୨ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ରେ ପିଟିହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗୁଡ୍ରିପଡ଼ି ଗ୍ରାମରୁ ବାହାରି ଗୁଟିଙ୍ଗିଆ ଅଭିମୁଖେ ମୋଟରସାଇକେଲରେ ୩ ଜଣ ଆସୁଥିବାବେଳେ ଗୁଟିଙ୍ଗିଆ ନିକଟ ଏକ ବ୍ରିଜର ବାଡ଼ରେ ପିଟିହୋଇ ତଳକୁ ଖସି ପଡ଼ିଥିଲେ। ଏଥିରେ ବାଇକ ଚାଳକ ଗୁଡ୍ରିପଡ଼ି ଗ୍ରାମର ବିବେକାନନ୍ଦ ନାଏକ(୨୪)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ସିମନ ଦିଗାଲ ଏବଂ ଅଭିଜିତ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗୁରୁତର ଅବସ୍ଥାରେ ଅଞ୍ଚଳବାସୀ ପ୍ରଥମେ ସମସ୍ତଙ୍କୁ ଗୁଟିଙ୍ଗିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ବିବେକାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଦୁଇଜଣ ଗୁରୁତର ହୋଇ ଥିବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସାରଙ୍ଗଗଡ଼ ଥାନା ଏସ୍ଆଇ କୃଷ୍ଣଚନ୍ଦ୍ର ଗୌଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ୍ ନମ୍ବର ୯୧/୨୦ରେ ଏକ ମାମଲା ରୁଜୁ କରିଛନ୍ତି।