ଗଛରେ ପିଟିହେଲା ବାଇକ୍‌, ୩ ଜଣଙ୍କ ଜୀବନ ଗଲା

ନୟାଗଡ଼ ଅଫିସ/ଓଡ଼ଗାଁ,୩୧ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାର କୋମଣ୍ଡ ପଥରା ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସମସ୍ତ ମୃତକ ସ୍ଥାନୀୟ ମହେଶ୍ୱରପୁର ଗାଁର ବୋଲି ଜଣାପଡ଼ିଛି। ଗୁରୁବାର ଓଡ଼ଗାଁର ଶ୍ରୀରାମ ନବମୀ ଯାତ୍ରା ଦେଖୀ ବିଳମ୍ବିତ ରାତିରେ ବାଇକ୍‌ ନଂ ଓଡି ୨୫ ଏନ୍‌ ୩୨୭୪ ଯୋଗେ ଫେରୁଥିବା ବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟ ଏକ ବରଗଛରେ ପିଟି ହୋଇ ରୋହିବାଙ୍କ ପଞ୍ଚାୟତ ମହେଶ୍ବରପୁର ସ୍କୁଲ ସାହିର ମାଧବ ପ୍ରଧାନ(୨୦), ସୂର୍ଯ୍ୟକାନ୍ତ ପ୍ରଧାନ (୧୯) , ରାଜେଶ ନାୟକ (୧୯) ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୩ ଗୁରୁତରଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରାଜେଶ ଓ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଓ ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ପୂର୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତ। ସ୍ବାଗତ ଦାସ ମାମଲାର ତଦନ୍ତ କରୁଥିବା ଜଣାଯାଇଛି। ଅନ୍ୟପକ୍ଷରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share