ବାଲେଶ୍ୱର ଅଫିସ, ୧୧।୯: ବାଲେଶ୍ୱର ବାଲିଆ ଅଞ୍ଚଳର ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ପରିସରରେ ରହିଥିବା ଜୈବନିୟନ୍ତ୍ରଣ ପ୍ରୟୋଗଶାଳା ଏବେ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହି ପ୍ରୟୋଗଶାଳାରେ ପରାଶ୍ରୟୀ କୀଟକୁ କୃତ୍ରିମ ଉପାୟରେ ବଂଶବିସ୍ତାର କରାଯାଇ ଚାଷୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ତେବେ ଜିଲାର ରେମୁଣା, ଜଳେଶ୍ୱର ଓ ବାଲେଶ୍ୱର ସଦର ବ୍ଲକର କାଁ ଭାଁ ଚାଷୀଙ୍କୁ ଛାଡ଼ିଦେଲେ ଏହି ଯୋଜନା ବିଷୟରେ କେହି ଜାଣିନାହାନ୍ତି। ଏ ଦିଗରେ କୃଷି ବିଭାଗ ପକ୍ଷରୁ ଆଖିଦୃଶିଆ ସଚେତନତା କରାଯାଉ ନ ଥିବାରୁ ଏହି ଯୋଜନା ଚାଷୀଙ୍କ ହିତରେ ଲାଗିପାରୁନାହିଁ।
କ୍ଷେତରେ ଫସଲକୁ କ୍ଷତି କରୁଥିବା କୀଟକୁ ଦମନ କରିବା ପାଇଁ ମିତ୍ର ବା ପରାଶ୍ରୟୀ କୀଟ ରହିଛନ୍ତି। କ୍ଷେତରେ ରାସାୟନିକ କୀଟନାଶକ ପ୍ରୟୋଗ ବିନା ସଫଳତାର ସହିତ ଶତ୍ରୁକୀଟର ବିନାଶ ଏହି ମିତ୍ର ବା ପରାଶ୍ରୟୀ କୀଟ ଜରିଆରେ ହୋଇପାରିବ। ସାଧାରଣତଃ ଏହି ପରାଶ୍ରୟୀ କୀଟ ଦୁଇ ପ୍ରଜାତିର। ପ୍ରୟୋଗଶାଳାରେ ଦୁଇ ପ୍ରଜାତିରୁ ପ୍ରସ୍ତୁତ ହେଉଥିବା ଟ୍ରାଇକୋ କାଡର୍ର୍ ଚାଷୀଙ୍କୁ ମାତ୍ର ୫ଟଙ୍କାରେ ଦିଆଯାଉଛି। ଏହି କାର୍ଡକୁ କ୍ଷେତରେ ଲଗାଇବାର କିଛି ଘଣ୍ଟା ପରେ ଏଥିରୁ ଛୋଟ ଛୋଟ ପୋକ ବାହାରି ଶତ୍ରୁକୀଟ ଯଥା କାଣ୍ଡବିନ୍ଧା, ପତ୍ରପୋଡ଼ା, ନୀଳପୋକ, ବକରାବିନ୍ଧା ପୋକ, ଅଣ୍ଡାକୁ ଖାଇ ନଷ୍ଟ କରିଥାନ୍ତି। ଆଉ ସେଠାରେ ନିଜର ଅଣ୍ଡା ଫୁଟାଇ କ୍ଷେତରେ ଧୀରେ ଧୀରେ ଶତ୍ରୁକୀଟକୁ ବିନାଶ କରିଥାନ୍ତି। ଗୋଟିଏ ଏକର ଫସଲରେ ୨/୩ଟି ଟ୍ରାଇକୋ କାଡର୍ର୍ ପ୍ରୟୋଗ ଶତ୍ରୁକୀଟ ଦମନ ପାଇଁ ଯଥେଷ୍ଟ। ରୋଗ ଦମନକାରୀ କୀଟ ପାଇଁ ବର୍ଷକୁ ସରକାରଙ୍କ ପକ୍ଷରୁ ୪ହଜାର ଟାର୍ଗେଟ୍ ଆସୁଛି। ସେତିକି ମଧ୍ୟ ପୂରଣ କରିବା ବିଭାଗ ପକ୍ଷରେ କାଠିକର ପାଠ ହୋଇଯାଉଛି। ଫଳରେ ବହୁ ସମୟରେ ଚାଷୀଙ୍କୁ ମାଗଣାରେ ଦିଆଯାଉଛି। ବ୍ଲକସ୍ତରରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏହି ଯୋଜନା ଠିକ୍ରେ କାର୍ଯ୍ୟକାରୀ ହୋଇପାରୁନାହଁି। ଫଳରେ ଚାଷୀମାନେ ଜିଲା ଅଫିସ୍କୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଯେଉଁ ପ୍ରୟୋଗଶାଳା ରହିଛି ତାହା ବି ଦୟନୀୟ ଅବସ୍ଥାରେ ଚାଲିଛି। ମାତ୍ର ଜଣେ ଲାବ୍ ଆସିଷ୍ଟାଣ୍ଟ ରହିଥିବା ବେଳେ ଜଣେ ଅଧିକାରୀ ରହିଛନ୍ତି। ତେଣୁ ସମସ୍ତ ବ୍ଲକକୁ ଯାଇ ଏ ଦିଗରେ ଚାଷୀଙ୍କୁ ସଚେତନ କରିବା ସମ୍ଭବପର ହେଉନାହିଁ।
ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) କାହିଁ କେଉଁ ଦିନରୁ ଅଚଳ ଅବସ୍ଥାରେ ରହିଛି। ଫଳରେ ଖରାଦିନେ ଗରମ ସହି ନ ପାରି ବାକ୍ସରେ ରହୁଥିବା ପରାଶ୍ରୟୀ କୀଟଗୁଡ଼ିକ ମରିଯାଉଛନ୍ତି। ସେହିପରି କୀଟ ପାଇଁ ଖାଦ୍ୟ (ମକା) ଆବଶ୍ୟକ ଥିବାବେଳେ ଏହାକୁ କିଣିବାକୁ ମଧ୍ୟ ପାଣ୍ଠି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ କୋଠା ଅବସ୍ଥା ଶୋଚନୀୟ। ବିଭାଗକୁ ଆବଶ୍ୟକ ମୁତାବକ ପାଣ୍ଠି ଆସୁ ନ ଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏହାର ପ୍ରଚାର ପ୍ରସାର କରାଯାଇପାରିଲେ ବାଲେଶ୍ୱର ଭଳି ଏକ କୃଷିବହୁଳ ଜିଲାର ବହୁ ଚାଷୀ ଏଥିରୁ ଉପକୃତ ହୋଇପାରନ୍ତେ। ଏନେଇ ଜିଲା କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ କହିଛନ୍ତି, ଜଣେ ଷ୍ଟାଫ୍ ଅଛନ୍ତି। ଭିତ୍ତିଭୂମି ଓ କର୍ମଚାରୀ ଅଧିକ ନ ଥିବାରୁ ଏହି ପରାଶ୍ରୟୀ କୀଟର ପ୍ରଜନନ ଅଧିକ ହୋଇପାରୁନାହିଁ। ଅନ୍ୟପକ୍ଷରେ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି। ଚଳିତବର୍ଷ ଜିଲାରେ ହେବାକୁ ଥିବା ପ୍ରତ୍ୟେକ କୃଷି ବିଭାଗର ବୈଠକରେ ସମସ୍ତ କର୍ମଚାରୀଙ୍କ ସହ ଚାଷୀମାନଙ୍କୁ ମଧ୍ୟ ଏହି ପରାଶ୍ରୟୀ କୀଟର ଉପକାରିତା ସମ୍ପର୍କରେ ଜଣାଯିବାର ସ୍ଥିର କରାଯାଇଛି। ଏହି ପରାଶ୍ରୟୀ କୀଟ ବର୍ଷସାରା ପ୍ରଜନନ କରିଥାନ୍ତି। ମୁଖ୍ୟତଃ ଧାନ ଚାଷରେ ଲାଗୁଥିବା କାଣ୍ଡବିନ୍ଧା ପୋକର ଅଣ୍ଡାଗୁଡ଼ିକୁ ସହଜରେ ନଷ୍ଟ କରି ଚାଷକୁ ଉଦ୍ଧାର କରିଥାଏ। ଜିଲାରେ ଧାନ ଚାଷ ମୁଖ୍ୟ ହୋଇଥିବାରୁ ଏହି ପ୍ରକଳ୍ପ ଅଧିକ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି।
ମାନସ ବିଶ୍ୱାଳ