ବାୟୋପିକ୍‌ ଆସିବା ଆବଶ୍ୟକ

ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ କେବଳ ଓଡ଼ିଶାର ଝିଅ ନୁହନ୍ତି, ସମଗ୍ର ଭାରତବର୍ଷର ଝିଅ। ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ସମସ୍ତେ ଜାଣିବା ଆବଶ୍ୟକ। ମାତ୍ର ଦୁଃଖର ବିଷୟ ତାଙ୍କୁ ଆମେ ବହୁତ କମ୍‌ ଜାଣୁ। ମୁଁ ମଧ୍ୟ ଯେବେ ତାଙ୍କ ବିଷୟରେ ଜାଣିବାକୁ ଆରମ୍ଭ କଲି ମୋତେ ବହୁତ ଅନୁତାପ ଅନୁଭବ ହେଲା ଯେ, ତାଙ୍କୁ କାହିଁକି ମୁଁ ଆଗରୁ ଜାଣିନି, ଆଉ ଏତେ କମ୍‌ ଜାଣିଛି। ତାଙ୍କ ବିଷୟରେ ବହୁତ କମ୍‌ ଲେଖା ଅଛି। ବେଶି କିଛି ସଂରକ୍ଷିତ ନାହିଁ। ତେଣୁ ତାଙ୍କ ଉପରେ ପୁସ୍ତକଟିଏ ଲେଖିବାକୁ ତଥ୍ୟ ସଂଗ୍ରହ ପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ିଥିଲା ବୋଲି ବିଶିଷ୍ଟ ସାମ୍ବାଦିକା ତଥା ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି। ହଂସପାଳ ସିମ୍ଫୋନୀ ମଲ୍‌ସ୍ଥିତ ଅକ୍ସଫୋର୍ଡ ବୁକ୍‌ ଷ୍ଟୋର୍‌ଠାରେ ଶନିବାର ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ର ଉନ୍ମୋଚନ ଅବସରରେ ଏହାର ଲେଖିକା ପଲ୍ଲବୀ ନିଜ ଅନୁଭବକୁ ବଖାଣିବାକୁ ଯାଇ କହିଲେ, ଏ ପର୍ଯ୍ୟନ୍ତ ଏହି ପୁସ୍ତକକୁ ବହୁତ କମ୍‌ ଜଣ ପଢ଼ିଛନ୍ତି। ମାତ୍ର ନନ୍ଦିନୀଙ୍କ ଉପରେ ବାୟୋପିକ୍‌ ଆସିଲେ ସମସ୍ତେ ତାଙ୍କୁ ଜାଣିପାରିବେ ବୋଲି ପଲ୍ଲବୀ କହିଛନ୍ତି।
ଉନ୍ମୋଚନ କାର୍ଯ୍ୟକ୍ରମରେ ପଲ୍ଲବୀଙ୍କ ସହ ଶିକ୍ଷାବିତ୍‌ ପଞ୍ଚମୀ ମାନୁ ଉକିଲ୍‌, ବୁକ୍‌ ଷ୍ଟୋର୍‌ ମ୍ୟାନେଜର ଜଗଦୀଶ ବେହେରା, କଳିଙ୍ଗ ଲିଟେରାରି ଫେଷ୍ଟିଭାଲର ସଂଯୋଜକ ବେଦପ୍ରକାଶ ନାୟକ ଓ ଦେବମିତ୍ରା ମିତ୍ର ଉପସ୍ଥିତ ଥିଲେ। ଶିକ୍ଷାବିତ୍‌ ଉକିଲଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ପଲ୍ଲବୀ କହିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ ପରି କିପରି ନନ୍ଦିନୀଙ୍କ ଜୀବନ ସମାନ୍ତରାଳ ଥିଲା ତାହା ଉପରେ ପଲ୍ଲବୀ ଆଲୋକପାତ କରିଥିଲେ। ସେ କହିଲେ, ରାଜନୀତିରେ ଜଣେ ରାଜନେତାର ଜୀବନୀ ଯେଭଳି ଡକ୍ୟୁମେଣ୍ଟ ହୋଇ ରହିଥାଏ, ନନ୍ଦିନୀଙ୍କ ଭଳି ନାରୀନେତ୍ରୀଙ୍କ ଉପରେ ସେତେଟା ସଂରକ୍ଷିତ ହୋଇନାହିଁ। କେଉଁଠି ନା କେଉଁଠି ମୋତେ ରାଜନୀତି ମଧ୍ୟ ପୁରୁଷ ପ୍ରାଧାନ୍ୟ ଭଳି ଅନୁଭବ ହୁଏ। ତାଙ୍କ ତ୍ୟାଗକୁ ମନେରଖିବାକୁ ହେଲେ ତାଙ୍କୁ ଜାଣିବା ଦରକାର, ପୁସ୍ତକ ପଢ଼ିବା ଆବଶ୍ୟକ, ତାଙ୍କ ସମ୍ପର୍କରେ କଥା ହେବା ଆବଶ୍ୟକ ବୋଲି ସେ କହିଥିଲେ।

Share