ନାମ ପରିବର୍ତ୍ତନ କରି ଧୋକା ଦେବାରେ ବିଜେଡି ସରକାର ଓସ୍ତାଦ ଥିଲା: ଭାଜପା

ଭୁବନେଶ୍ୱର, ୩୦।୭(ସୁନିତ୍‌ ମିଶ୍ର):ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍‌ ଚେଞ୍ଜର। ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡ଼ି ଫୋପାଡ଼ି ଦେଇଛନ୍ତି। ଏହାସତ୍ତ୍ୱେ ରାଜ୍ୟବାସୀଙ୍କ ନିଷ୍ପତ୍ତିକୁ ସ୍ବୀକାର କରିବା ପାଇଁ ଖୋଦ୍‌ ନବୀନ ପଟ୍ଟନାୟକ ପ୍ରସ୍ତୁତ ନାହାନ୍ତି। ନାମ ପରିବର୍ତ୍ତନ କରି ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ବିଜେଡି ସରକାର ଓସ୍ତାଦ୍‌ ଥିଲା ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି।
ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ନବୀନ ବଜେଟ ଉପରେ ରଖିଥିବା ମତକୁ ନେଇ ଦିଲୀପ କହିଛନ୍ତି ଯେ, ନବୀନ ତାଙ୍କ ଶାସନ କାଳରେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜ ନାମରେ ନାମିତ କରିବା ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ବାସଗୃହ, ପାନୀୟଜଳ, ଆମ୍ବୁଲାନ୍ସ, ଚାଉଳ ଆଦି କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ବ୍ରାଣ୍ଡିଂ କରି ଭୋଟ୍‌ ରାଜନୀତି କରୁଥିବା ନବୀନ ପଟ୍ଟନାୟକଙ୍କ ଏବର ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ। କ୍ଷମତା ନିଶାରୁ ବାହାରି ନ ଥିବା ନବୀନ ବର୍ତ୍ତମାନ ବି ଚିଠା ଲେଖିବାର ପୁରୁଣା ଅଭ୍ୟାସ ଛାଡ଼ିନାହାନ୍ତି। ଏପରିକି ଛାୟା କ୍ୟାବିନେଟ୍‌ ଗଠନ କରିଦେଲେ। ଭାଜପା ‘ନାମ ନୁହେଁ, କାମରେ ବିଶ୍ୱାସ କରେ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଭାଜପା ସରକାରର ପ୍ରଥମ ବଜେଟକୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ବାଗତ କରୁଥିବାବେଳେ ନବୀନ ବାବୁଙ୍କ ବକ୍ତବ୍ୟରୁ ତାଙ୍କ ଅସହିଷ୍ଣୁତା ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ଦିଲୀପ କହିଛନ୍ତି।

Share