ଛେଣ୍ଡିପଦା,୬।୩(ସ୍ବ.ପ୍ର.) ସପ୍ତାହେ ପରେ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ। ଏହାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ରାଜନୀତି ଜୋର୍ଧରିଛି। କେଉଁ ଦଳ ଏହି ପଦବୀ ହାତେଇବ ତାହାକୁ ନେଇ ନାନା ଆଲୋଚନା, ପର୍ଯ୍ୟାଲୋଚନା ଚାଲିଛି। ଗତ ମାସରେ ପଞ୍ଚାୟତ ଫଳ ପ୍ରକାଶ ପରଠାରୁ ସମିତିସଭ୍ୟମାନଙ୍କୁ ନିଜ ପକ୍ଷକୁ ନେବାକୁ ଶାସକ ବିଜେଡି ଓ ବିରୋଧୀ ଭାଜପା ପକ୍ଷରୁ ପ୍ରୟାସ ଜାରି ରହିଛି।
ଛେଣ୍ଡିପଦା ବ୍ଲକରେ ରହିଛି ମୋଟ୍ ୩୪ ପଞ୍ଚାୟତ। ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ହେଲେ ଯେ କୌଣସି ଦଳକୁ ୧୮ ସମିତି ସଭ୍ୟଙ୍କ ସମର୍ଥନ ହାସଲ କରିବାକୁ ପଡ଼ିବ। କଂଗ୍ରେସ ପ୍ରାୟତଃ ଏହି ଦୌଡ଼ରେ ନାହିଁ। ତେଣୁ ବିଜେଡି ଓ ଭାଜପା ନେତାମାନେ ଏଥିପାଇଁ ଦିନରାତି ଉଦ୍ୟମ ଚଳାଇଛନ୍ତି। ବିଜୟୀ ହେବା ଦିନଠାରୁ କେତେଜଣ ସମିତି ସଭ୍ୟଙ୍କୁ ନେଇ ଅନ୍ୟତ୍ର ରଖାଯାଇଛି। ଗାଏବ ହୋଇଯାଇଥିବା ଆଉ କେତେଜଣଙ୍କ ସହ ଉଭୟ ଦଳ ପକ୍ଷରୁ ଯୋଗାଯୋଗ କରାଯାଉଛି। ସେମାନେ ନିର୍ବାଚନ ଦିନ ବ୍ଲକ ଅଫିସରେ ପହଞ୍ଚି ଯେମିତି ସପକ୍ଷରେ ଭୋଟ ଦେବେ ସେ ନେଇ ବୁଝାଶୁଝା ଚାଲିଛି। ଗତ ୨୦୧୭ ନିର୍ବାଚନରେ ଛେଣ୍ଡିପଦା ବିଧାୟକଙ୍କ ଉଦ୍ୟମରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରିଥିଲା। କତଡା ପଞ୍ଚାୟତର ସମିତି ସଭ୍ୟ ଅଶୋକ କୁମାର ପ୍ରଧାନ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲେ। ହେଲେ ଏଥର ବ୍ଲକ ଉପରେ କେଉଁ ଦଳ କବ୍ଜା କରିବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ। କାରଣ କେଉଁ ଦଳ ପୂର୍ଣ୍ଣ ସମର୍ଥନ ହାସଲ କରିପାରିଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଉଭୟ ଦଳ ଏ ନେଇ ନିଜ ନିଜ ସପକ୍ଷରେ ଦାବି କରୁଛନ୍ତି। ବିଜେଡି ନିକଟରେ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଥିବା ଦଳ ପକ୍ଷରୁ କୁହାଯାଇଛି। ତେଣୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେହିପରି ଭାଜପା ମଧ୍ୟ ୧୭ ଜଣ ସମିତି ସଭ୍ୟଙ୍କ ସମର୍ଥନ ହାସଲ କରିପାରିଥିବା କହିଛି। ଯଦି ଦୁଇ ଦଳ ସମାନ ସଂଖ୍ୟକ ଭୋଟ ପାଇବେ, ତା’ହେଲେ ଧର୍ମଗୁଳାରେ ଅଧ୍ୟକ୍ଷ ଚୟନ କରାଯିବ ବୋଲି ଭାଜପା ପକ୍ଷରୁ କୁହାଯାଇଛି।