ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ ଚୂଡାନ୍ତ ହୋଇଥିବା ବିଜୁ ଜନତା ଦଳ ଦାବି କରିଛି। ଏହି ନିଯୁକ୍ତି ମଲାହରିଣ ଉପରେ ପାହାର ପକାଇ ତାକୁ ଶିକାର କରିଛି ବୋଲି କହିବା ସଦୃଶ୍ୟ ହୋଇଛି । ଶଙ୍ଖଭବନଠାରେ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ସଭା ଏମ୍‌ପି ସୁଭାଶିଷ ଖୁଣ୍ଟିଆ ଏବଂ ମୁଖପାତ୍ର ଲେନିନ୍‌ ମହାନ୍ତି ଏ ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାର ଏକ କପିପେଷ୍ଟ ସରକାର ବୋଲି ବର୍ଣ୍ଣନା କରିଛନ୍ତି । ଶୁଭାଶିଷ କହିଛନ୍ତି, ଏହି ସ୍କିମାଟିକ ନିଯୁକ୍ତି ପାଇଁ ନବୀନ ସରକାର ୨୨ ଅଗଷ୍ଟ ୨୦୨୩ ଦିନ ଏକ ରିଜଲ୍ୟୁସନ କରିଥିଲେ। ୧୦ ସେପ୍ଟେମ୍ବର ୨୦୨୩ରେ ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ ଁଓଡ଼ିଶା ବିଦ୍ୟାଳୟ ଶିକ୍ଷା କାଯର୍‌ୟକ୍ରମ ପ୍ରାଧିକରଣ ଦ୍ୱାରା ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁଯାୟୀ ସିବିଟି (କମ୍ପ୍ୟୁଟର ବେସ୍‌ଡ ଏକ୍‌ଜାମ)ରେ ରଖିଥିବା ମାର୍କ ଅନୁଯାୟୀ ଆବେଦନକାରୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ଚୟନ କରାଯିବ। ସେହି ଅନୁସାରେ, ୧୫ ଜାନୁଆରୀ ୨୦୨୪ରେ ଡ୍ରାଫ୍ଟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଥିଲା। ୫୮ ଜଣ ଆବେଦନକାରୀ ସରକାରଙ୍କ ୨୨ ଅଗଷ୍ଟରେ ହୋଇଥିବା ରିଜଲ୍ୟୁସନ ଉପରେ ପ୍ରଶ୍ନ ଉଠାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ୨୦୨୪ ଜୁନ ୧୮ରେ ଉଚ୍ଚ ନ୍ୟାୟାଳୟଙ୍କ ପ୍ରକାଶିତ ହୋଇଥିବା ରାୟରେ, ସରକାରଙ୍କ ରିଜଲ୍ୟୁସନକୁ ବୈଧ କହିଥିଲେ ଓ ନିଯୁକ୍ତି ପ୍ରଣାଳୀଙ୍କୁ ମଧ୍ୟ ବୈଧ କହିଥିଲେ। ଭାଜପା ଏହି ନିଯୁକ୍ତି ପ୍ରକ୍ରିୟାକୁ ସେତେବେଳେ ବିରୋଧ କରୁଥିଲା। ସରକାରକୁ ଆସିବା ପରେ ନବୀନଙ୍କ ସମୟରେ ସମ୍ପୂର୍ଣ୍ଣ ହୋଇଥିବା ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରୁଛନ୍ତି। ଏଥିପାଇଁ ଖବରକାଗଜରେ ବିଜ୍ଞାପନ ଦେଇ ନିଜର ଡିଣ୍ଡିମ ପିଟୁଛନ୍ତି ବୋଲି ସେ କହିଛନ୍ତି।
ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି , ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କଥା ହେଉ ବା ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଦ୍ୱାରା ପୁଞ୍ଜି ନିବେଶ ବା ଶିକ୍ଷକ ନିଯୁକ୍ତି କଥା ହେଉ ବିଜେଡି ସରକାରଙ୍କ ଛାପ ସବୁଠାରେ ରହିଛି। ନବୀନ ପଟ୍ଟନାୟକଙ୍କ ସମୟରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା। କେବଳ କିଛି ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ଯୋଗୁ ନିଯୁକ୍ତି ପତ୍ର ଦିଆଯାଇ ପାରି ନ ଥିଲା। ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ସମୟରେ, ଭାଜପା ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତି କହି ବିରୋଧ କରୁଥିଲା, ସେହି ନିଯୁକ୍ତି ଦେଇ ଏବେ ବାହାଦୁରି ନେବାକୁ ଚେଷ୍ଟାକରୁଛି ବୋଲି ଲେନିନ୍‌ କହିଛନ୍ତି।