ବିଏମ୍‌ସିର ମଲ୍‌ ପ୍ରେମ ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୭।୭(ବ୍ୟୁରୋ): ସର୍ବସାଧାରଣ ଜମିକୁ ଏକ ଘରୋଇ ମଲ୍‌ ହାତକୁ ବିଏମ୍‌ସି ଟେକିଦେଇଛି। ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପି ଦେବାକୁ ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧାରୀ ଚେଷ୍ଟା କରୁଥିବା ଭାଜପା ନେତା ବାବୁ ସିଂ ଅଭିଯୋଗ କରିଛନ୍ତି। ତୁରନ୍ତ ତାଙ୍କୁ ବରଖାସ୍ତ କରିବା ପାଇଁ ଦଳ ତରଫରୁଦାବି କରାଯାଇଛି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବାବୁ କହିଛନ୍ତି, ଉକ୍ତ ମଲ୍‌ର ଜବରଦଖଲ ଉଚ୍ଛେଦ କରି ଏହା ଉପରେ ରାସ୍ତା ପ୍ରଶସ୍ତୀକରଣ କରାଯାଉ ା ରାଜଧାନୀର ଛାତି ଉପରେ ଏହି ମଲ୍‌ ବେଆଇନ୍‌ ଜମି ଜବରଦଖଲର ସୁରକ୍ଷା କବଚ ବିଏମ୍‌ସି କମିଶନର ସାଜିଛନ୍ତି। ଫ୍ଲାଏ ଓଭର ବା ରାସ୍ତା ପ୍ରଶସ୍ତୀକରଣ କାମ ହେଲେ ଏହି ମଲ୍‌କୁ ସୌନ୍ଦର୍ଯ୍ୟକରଣ ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଆଣିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି ା ମାତ୍ର ମଲ୍‌ ଠାରୁ ଏହି ଜମି ଫେରାଇ ନେବା ବଦଳରେ ରାଜଧାନୀର ଐତିହ୍ୟର ମୂକସାକ୍ଷୀ ବିଜେବି କଲେଜ, ରାଜ୍ୟ ସଂଗ୍ରହାଳୟ ଓ ବିଏମସି ଅଫିସର ପାଚେରି ଭାଙ୍ଗି ଏହି ଅନୁଷ୍ଠାନ ଗୁଡିକର ଜମିରେ ରାସ୍ତା ପ୍ରଶସ୍ତୀକରଣ କରିବାର ଷଡଯନ୍ତ୍ର ବିଏମ୍‌ସି ପକ୍ଷରୁ କରାଯାଇଛି। ବିଜେବି କଲେଜର ଐତିହାସିକ ପାଚେରୀକୁ ଭାଙ୍ଗିବା ପାଇଁ ବିଏମସି ଚିହ୍ନ ଲଗାଇ ସାରିଛି ା ମାତ୍ର ମଲ୍‌ ଦଖଲରେ ଥିବା ନୟନ ଯୋଡି କିଶମ ଜମିରେ କମିଶନର ହାତ ମାରୁନାହାନ୍ତି। ସେହିପରି ରସୁଲଗଡ ପାଖରେ ଥିବା ଆଉ ଏକ ମଲ୍‌ କମିଶନରଙ୍କ ସଲାସୁତୁରାରେ ହାଇକୋର୍ଟଙ୍କ ନିର୍ଦ୍ଦେଶର ବାହାନା ଦେଖାଇ କୋଟି କୋଟି ଟଙ୍କା ପାର୍କଫିସ୍‌ ମାଧ୍ୟମରେ ଆଦାୟ କରିବାର ତଥ୍ୟ ପ୍ରମାଣ ଆଗରୁ ରହିଛି ବୋଲି ସେ କହିଛନ୍ତି ା

Share