କୋଭିଡ୍‌ ପରିଚାଳନାରେ ସରକାରଙ୍କ ତ୍ରୁଟି ଦର୍ଶାଇଲା ଭାଜପା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):କରୋନାର ୨ୟ ଲହର ଯୋଗୁ ଅନ୍ୟ ରାଜ୍ୟଗୁଡିକରେ ଲକ୍‌ଡାଉନ କଟକଣା ଜାରି ରହିଛି। ଏହି କାରଣରୁ ଅନ୍ୟ ରାଜ୍ୟଗୁଡିକରୁ ପ୍ରବାସୀ ଓଡ଼ିଆ ଶ୍ରମିକ ପୁଣି ଥରେ ଫେରିଲେଣି। ଗତଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ ବ୍ୟାପିଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ରାଜ୍ୟ ସରକାର ସେଥିରୁ କିଛି ଶିଖିପାରିଲେ ନାହିଁ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସମୀର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ରବିବାର କହିଛନ୍ତି ଯେ, ଏବେ ପ୍ରବାସୀ ରାଜ୍ୟକୁ ଫେରିବା ପରେ ସେମାନଙ୍କର ଟେଷ୍ଟିଂ ହେଉନାହିଁ କି ସଙ୍ଗରୋଧରେ ରଖାଯାଉନି। ସଂକ୍ରମଣର ୨ୟ ଲହରରେ ଗତ କିଛିଦିନ ହେଲା ଓଡ଼ିଶାରୁ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯଦି ବର୍ତ୍ତମାନଠାରୁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ। ରାଜ୍ୟ ସରକାର ଏହି ପରିସ୍ଥିତିରେ ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କୁ ସବୁପ୍ରକାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବା ସହ ସମସ୍ତଙ୍କର ଟେଷ୍ଟିଂ ବ୍ୟବସ୍ଥା କରନ୍ତୁ। ଗତବର୍ଷ ଗ୍ରାମାଞ୍ଚଳରେ ସଙ୍ଗରୋଧର ବ୍ୟବସ୍ଥା ହୋଇଥିଲା। ଏଥର ସ୍ଥିତି ଅଧିକ ଭୟାବହ ଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଗ୍ରାମାଞ୍ଚଳରେ ସଙ୍ଗରୋଧ ପ୍ରସଙ୍ଗରେ ତପତ୍ରତା ପ୍ରକାଶ ପାଉନାହିଁ। ଟେଷ୍ଟିଂ ରିପୋର୍ଟ ଆସିବାକୁ ୫ରୁ ୬ ଦିନ ଲାଗୁଛି ଏବଂ ଏହା ଭିତରେ ସଂକ୍ରମିତ ବ୍ୟକ୍ତି ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଯାଉଛନ୍ତି। ତେଣୁ ତୁରନ୍ତ ରିପୋର୍ଟ ପ୍ରଦାନ ସହ ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜିଟାଲ ଉପାୟ/ମୋବାଇଲରେ ଟେଷ୍ଟିଂ ରିପୋର୍ଟ କେମିତି ମିଳିବ ସେନେଇ ବ୍ୟବସ୍ଥା କରିବାକୁ ସମୀର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଟିକାଦାନ ସ୍ଥାନରେ ଅବ୍ୟବସ୍ଥା ବଡ଼ ସମସ୍ୟା ସୃଷ୍ଟି କରିଛି। ରାଜ୍ୟରେ ଡୋର ଟୁ ଡୋର ଟେଷ୍ଟିଂ କିପରି ହୋଇପାରିବ ସେନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସମୀର ଦାବି କରିଛନ୍ତି। ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହାରକୁ ହ୍ରାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଗ୍ରହଣ କରି ‘କୋଭିଡ୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି’ ଗଠନ କରାଯାଉ ବୋଲି ସେ କହିଛନ୍ତି।

Share