୪୫୦ କୋଟିର ଅଡିଟ୍‌ ଲାଗି ଦାବି କଲା ବିଜଓ୍ବୋଇଏମ୍‌

ଭୁବନେଶ୍ୱର, ୧୭ା୩(ବ୍ୟୁରୋ): ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ ା ଓଡିଶା ଲୋକଙ୍କ ଝାଳବୁହା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା ହାସଲ ଲାଗି ଶାସକ ଦଳ ଯୁବକମାନଙ୍କୁ ବ୍ୟବହାର କଲା ା ଏବେ ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବତୀ, ଯୁବକମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଯୁବ ବାହିନୀ ନଁାରେ ଗତ ୩ ବର୍ଷରେ ୪୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଇଥିବା ଅର୍ଥର ଅଡିଟ କରିବା ଦାବିରେ ଭାଜପା ଯୁବମୋର୍ଚ୍ଚା (ବିଜଓ୍ବୋଇଏମ୍‌)ର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ପ୍ରତିନିଧି ଦଳ ପ୍ରଧାନ ମହାଲେଖାଗାର(ଏଜି)ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ା ଗତ ୧୨ ତାରିଖ ବିଧାନସଭାରେ ପ୍ରଶ୍ନ ସଂଖ୍ୟା ୧୫୬୫ରେ ଭାଜପା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନ ଉତ୍ତରରେ ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ”ବିଜୁ ଯୁବ ବାହିନୀ“ ଅନୁଷ୍ଠାନିକ ଭାବେ ବନ୍ଦ ହୋଇଥିବା ସ୍ବୀକାର କରିଥିଲେ। ତେବେ ରାଜ୍ୟ ସରକାର ବିଜୁଯୁବ ବାହିନୀ କାହିଁକି ଗଠନ କରିଥିଲେ ଏବଂ ଏହାର ନଁାରେ ବିଗତ ୩ ବର୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ଖର୍ଚ୍ଚ କରି ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ଇରାସିସ ଅଭିଯୋଗ କରିଛନ୍ତି ା ସେ କହିଛନ୍ତି, ୧୪ ମାର୍ଚ୍ଚ ୨୦୧୮ରେ କ୍ୟାବିନେଟ୍‌ ବୈଠକରେ ଏହା ପାରିତ ହୋଇଥିଲା। ସେତେବେଳେ କୁହାଗଲା ଓଡିଶାରେ ୮ ହଜାର ଯୁବ ବାହିନୀ ତିଆରି ହେବେ। ୬୭୯୯ ଗ୍ରାମ ପଞ୍ଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସିପାଲିଟି ଲାଗି ଆସନ୍ତା ୩ ବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍‌ ବ୍ୟବସ୍ଥା କରାଯାଇଥିଲା। ସିଏଜିଙ୍କ ନିର୍ଦ୍ଦେଶ ସତ୍ୱେ ରାଜ୍ୟ ସରକାର ୨୦୧୮ରେ ହକି ବିଶ୍ୱକପ ଆଳ ଦେଖାଇ ବିଜୁ ଯୁବ ବାହିନୀ ଅର୍ଥର ଅଡିଟ୍‌ କରି ନ ଥିଲେ ବୋଲି ଇରାସିସ୍‌ କହିଛନ୍ତି।

Share