ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ୍‌ ନଂ ଜାରି କଲା ଭାଜପା

ଭୁବନେଶ୍ୱର, ୨ା୩(ବ୍ୟୁରୋ): ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଏହି କାରଣରୁ ବହୁ ସଂଖ୍ୟାରେ ଓଡ଼ିଆଙ୍କ ସମେତ ଭାରତୀୟ ଛାତ୍ରୀଛାତ୍ର ୟୁକ୍ରେନ୍‌ର ବିଭିନ୍ନ ସହରରେ ଫସି ରହିଛନ୍ତି । ଆକ୍ରମଣ ଯୋଗୁ ଭୟଭୀତ ହୋଇ ଭାରତୀୟମାନେ ବର୍ତ୍ତମାନ ସୀମା ପାରହୋଇ ରୋମାନିଆ, ହଙ୍ଗେରି ଭଳି ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଲୁଚି ରହିଛନ୍ତି। ୟୁକ୍ରେନ୍‌ଠାରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ମୋଦି ସରକାର ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାସହ ପ୍ରବାସୀ ଓଡ଼ିଆ ଛାତ୍ରୀଛାତ୍ର ଏବଂ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଗୋଟିଏ ହେଲ୍ପଡେସ୍କ ଖୋଲାଯାଇଛି । ଫସିରହିଥିବା ଛାତ୍ରୀଛାତ୍ର ଏବଂ ତାଙ୍କ ପରିବାର ସଦସ୍ୟମାନେ ସହାୟତା ପାଇଁ (+୯୧)୬୭୪-୨୩୯୩୯୫୫କୁ ଡାଏଲ କରି ଏବଂ ହ୍ବାଟ୍ସଆପ୍‌ ନମ୍ବର +୯୧-୬୩୭୦୯୫୪୨୦୩ ନମ୍ବରରେ ଦାୟିତ୍ୱରେ ଥିବା ରଶ୍ମିରଞ୍ଜନ କାନୁନ୍‌ଗୋ ଏବଂ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସହିତ ଯୋଗାଯୋଗ କରିବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି । ସେହିପରି ୟୁକ୍ରେନ୍‌ ଏବଂ ପଡ଼ୋଶୀ ରାଷ୍ଟ୍ରରେ ଫସି ରହିଥିବା ରାଜ୍ୟର ବିଭନ୍ନ ଜିଲାର ଶତାଧିକ ଛାତ୍ରୀଛାତ୍ରଙ୍କ ପାଇଁ ଚିନ୍ତା ପ୍ରକଟ କରିବା ସହିତ ସେମାନଙ୍କୁ ଓଡ଼ିଶାକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସମୀର ଓଡ଼ିଶା ଦାୟିତ୍ୱରେ ଥିବା ଭାଜପା ରାଷ୍ଟ୍ରୀୟ ସମ୍ପାଦକ ବିନୋଦ ତାବଡେଙ୍କ ସମେତ ଅନ୍ୟାନ୍ୟ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି ।

Share