ରାଜ୍ୟପାଳଙ୍କୁ ଭେଟିଲା ଭାଜପା

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ବିଧାନସଭାରେ ଉଭୟ ଭାଜପା ଓ କଂଗ୍ରେସର ବିରୋଧ ସତ୍ତ୍ୱେ ଏହି ବଲ୍‌ ପାସ୍‌ ହୋଇଛି। ଅନ୍ୟପଟେ ଭାଜପା ବର୍ତ୍ତମାନ ସୁଦ୍ଧା ଏହି ବିଲ୍‌କୁ ବିରୋଧ କରବା ସହିତ ଏହା ଏକ କଳା ଆଇନ ବୋଲି ଅଭିଯୋଗ ଆଣିଛି। ଏହାଦ୍ୱାରା ବିଶ୍ୱବିଦ୍ୟାଳୟଗୁଡିକର ସ୍ବତନ୍ତ୍ରତା ନଷ୍ଟ ହେବ ବୋଲି ଦାବି କରିଛି। ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ବିଶ୍ୱବିଦ୍ୟାଳୟ ସ୍ବାଧୀନତା ଉପରେ ହସ୍ତକ୍ଷେପ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ଅଭିଯୋଗ କରିବା ସାଙ୍ଗକୁ ଭାଜପାର ଏକ ପ୍ରତିନିଧି ଦଳ ବୁଧବାର ରାଜ୍ୟପାଳଙ୍କୁ ଭେଟିଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟପାଳ ଏହି ଅଧିନିୟମକୁ ତୁରନ୍ତ ଫେରସ୍ତ କରନ୍ତୁ ବା ଉକ୍ତ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ମତ ପାଇଁ ପଠାଇବାକୁ ପ୍ରତିନିଧି ଦଳ ଦାବି କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ଏହି ଟିମ୍‌ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ, ରାଜ୍ୟରେ ୟୁଜିସି ଦ୍ୱାରା ସ୍ବୀକୃତିପ୍ରାପ୍ତ ୧୧ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ଏହା ମଧ୍ୟରେ ଟେକ୍ନିକାଲ ଓ ମେଡିକାଲ ବିଶ୍ୱବିଦ୍ୟାଳୟ ଅର୍ନ୍ତଭୃକ୍ତ ନୁହେଁ। ସ୍ବାଧୀନତା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରୀଛାତ୍ର ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି। ୟୁଜିସି ଅଧିନିୟମ ଦ୍ୱାରା ପରିଚାଳିତ ହୋଇଥିବାରୁ ଏହା ସମ୍ଭବ ହୋଇପାରିଥିଲା। କିନ୍ତୁ ଗତ ୪ ତାରିଖରେ ରାଜ୍ୟ ସରକାର ତରବରିଆ ଭାବେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ ଦ୍ୱାରା ସିନେଟ ବ୍ୟବସ୍ଥା ଉଚ୍ଛେଦ କରି ଓପିଏସ୍‌ସି ଜରିଆରେ ଅଧ୍ୟାପକ ନିଯୁକ୍ତି କରାଯିବାର ବ୍ୟବସ୍ଥା ରହିଛି। ସିନେଟକୁ ଉଚ୍ଛେଦ କରି ସିଣ୍ଡିକେଟକୁ ମଜବୁତ କରାଯାଇଛି। ତେଣୁ ରାଜ୍ୟର ଉଚ୍ଚଶିକ୍ଷା ମାନର ସୁରକ୍ଷା ପାଇଁ ରାଜ୍ୟପାଳ ଏହି ବିଲ୍‌କୁ ଫେରାଇ ଦିଅନ୍ତୁ ବା ବିଚାର ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବାକୁ ଭାଜପା ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି।

Share