କେନ୍ଦୁଝର,୭ା୫(ସ୍ବ.ପ୍ର.): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଓ ତାଙ୍କ ଉପରେ ଥିବା ମୋକଦ୍ଦମା ନିଃସର୍ତ୍ତ ପ୍ରତ୍ୟାହାର, ବ୍ଲକ ସର୍କୁଲାର ୪୭ ର ଅବମାନନା ସହ ବିଶୃଙ୍ଖଳିତ ଆଚରଣ, ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଶନିବାର ଭାଜପା କେନ୍ଦୁଝର ପକ୍ଷରୁ ଏସ୍ପି ଅଫିସ ଘେରାଉ କରିଥିଲା। ବ୍ଲକ ସର୍କୁଲାର ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରିଥିବା ସରକାରୀ ଅଧିକାରୀଙ୍କ ପକ୍ଷପାତିତାକୁ ସରକାର ପରୋକ୍ଷ ଭାବେ ପ୍ରୋତ୍ସାହିତ କରୁଥିବା ଦୃଷ୍ଟିରୁ ଜନପ୍ରତିନିଧି ତଥା ବିଧାୟକ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ସୃଷ୍ଟି ହୋଇ ଜନସ୍ବାର୍ଥ ସମ୍ବଳିତ ବିକାଶ କାର୍ଯ୍ୟ ବାଧା ଉପୁଜୁଥିବା ଅଭିଯୋଗ କରିଛନ୍ତି। ଏଭଳି ବ୍ୟତିକ୍ରମ ବିଭିନ୍ନ ଜିଲାରେ ପରିଲକ୍ଷିତ ହେଉଥିବା ନେଇ ସଦାଚାର କମିଟି ମଧ୍ୟ ରିପୋର୍ଟ ପ୍ରଦାନ କରିଛି। ଏ ନେଇ ବାରମ୍ବାର ବିଧାୟକ ବିଧାନସଭାରେ ଉପସ୍ଥାପନା କରୁଥିଲେ ହେଁ ଅଭିଯୋଗକୁ ସରକାର ଜାଣିଶୁଣି ଅଣଦେଖା କରୁଛନ୍ତି। ଏହାର ଫଳ ସ୍ବରୁପ ଦେବଗଡ଼ ଜିଲାରେ ଗତ ୧ ତାରିଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ସରକାରଙ୍କ ଏଭଳି ପକ୍ଷପାତିତା ନୀତିକୁ ଭାଜପା ପକ୍ଷରୁ ନିନ୍ଦା କରାଯିବା ସହ ଏକ ଦାବିପତ୍ର ଏସ୍ପି କେନ୍ଦୁଝରଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।