Categories: ଜାତୀୟ

ହିଂସା ପାଇଁ ପରସ୍ପରକୁ ଦାୟୀ କଲେ ଭାଜପା- ଟିଏମ୍‌ସି

କୋଲକାତା,୧୧।୪: ପଶ୍ଚିମବଙ୍ଗ କୁଚବିହାର ହିଂସାକୁ ନେଇ ଭାଜପା- ଟିଏମ୍‌ସି ମୁହାଁମୁହିଁ। ଯବାନଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ନରସଂହାର ବୋଲି କହୁଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଦିଙ୍କ ଭାଷଣ ପାଇଁ ଏଭଳି ଘଟଣା ଘଟିଥିବା କହିଛନ୍ତି। ଶନିବାର ପଶ୍ଚିମବଙ୍ଗ କୁଚବିହାର ଜିଲାର ୧୨୬ ନମ୍ବର ବୁଥରେ ସକାଳେ ଜଣେ ଭାଜପା ସମର୍ଥକ ଭୋଟ ଦେବାକୁ ଆସିଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଳିଯାଇଥିଲା। ସୁରକ୍ଷାକର୍ମୀ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲେ। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ଅବସରରେ ମମତା ଭିଡିଓ କଲ ମାଧ୍ୟମରେ ହିଂସାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଅନ୍ୟପକ୍ଷେ ମମତା ହିସାଂକାଣ୍ଡ ପାଇଁ ଭାଜପାକୁ ଦାୟୀ କରିଥିଲେ। ଯଦି ଭିଡକୁ ନିୟନ୍ତ୍ରଣ କରିବାର ଥିଲା ତା’ହେଲେ ନିୟୋଜିତ ଯବାନ ପାଦ କିମ୍ବା ଅଣ୍ଟା ତଳକୁ ଗୁଳି ଚଳାଇ ପାରିଥାନ୍ତେ। ହେଲେ ସୁରକ୍ଷାକର୍ମୀ ଲୋକଙ୍କ ଛାତିକୁ ଗୁଳି କରିଛନ୍ତି ବୋଲି ମମତା କହିଛନ୍ତି। ଭାଜପା ନିର୍ବାଚନ ହାରୁଥିବାରୁ ବନ୍ଧୁକ ବ୍ୟବହାର କରୁଛି। ହେଲେ ଟିଏମ୍‌ସି ଏହାର ପ୍ରତିଶୋଧ ନେବ ବୋଲି ସେ କହିଥିଲେ। ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା କୁଚବିହାରା ଘଟଣା ପାଇଁ ମମତାଙ୍କୁ ଦାୟୀ କରିଛନ୍ତି। ଯାହା ବି ହୋଇଛି ଏହା ଏକ ଦୁଃଖଦ ଘଟଣା। ଏହି ଘଟଣାକୁ ଯେଉଁଭଳି ଭାବେ ରାଜନୀତିକରଣ କରାଯାଉଛି ତାହା ନିନ୍ଦନୀୟ।

Share