ବିଭିନ୍ନ ସମସ୍ୟା ନେଇ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ

ଭଦ୍ରକ ଅଫିସ,୩୦।୭: ଭଦ୍ରକ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଜିଲା ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରାଯାଇଛି। ଦୀର୍ଘ ଦିନ ଧରି ଜିଲାରେ ସ୍ଥାୟୀ ସବ୍‌-ରେଜିଷ୍ଟ୍ରାର ନ ଥିବାରୁ ଜମିଜମା ବିକ୍ରି ଓ କ୍ରୟ କରିବା ପାଇଁ ଆସୁଥିବା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ୨୦୦ରୁ ଅଧିକ ଲୋକ ଦଲିଲ ପାଇଁ ଆସୁଥିବା ବେଳେ, ସେମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ପାର୍କିଂ, ପରିସ୍ରାଗାର, ବସିବା ପାଇଁ ବ୍ୟବସ୍ଥା ନ ଥିବାରୁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ, ବିଶେଷ କରି ବର୍ଷା ଦିନରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ନ ଥିବାରୁ, ଲୋକେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି କାର୍ଯ୍ୟାଳୟକୁ ଆସୁଥିବା ବାରମ୍ବାର ଅଭିଯୋଗ ହେଉଛି। ଏଥି ପ୍ରତି ଜିଲାପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଆନ୍ଦୋଳନ କରାଯାଇଛି ବୋଲି କହିଛନ୍ତି ଭାଜପା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠ କହିଛନ୍ତି। ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହୁଏ,ଆନ୍ଦୋଳନ ତୀବ୍ରତର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।