ଧରାପଡ଼ିଲା ‘ବ୍ଲାକ୍‌ ଜ୍ୟାକେଟ’ ଗ୍ୟାଙ୍ଗ

ଭୁବନେଶ୍ୱର,୫।୯ (ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲାରେ ସ୍ପିଡ୍‌ ବାଇକରେ ସୁନା ଚେନ୍‌ ଛିନତାଇ କରି ଫେରାର ହୋଇଯାଉଥିବା ‘ବ୍ଲାକ୍‌ ଜ୍ୟାକେଟ’ ଗ୍ୟାଙ୍ଗର ୪ଜଣଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ସେମାନେ ହେଲେ ବଡଗଡ ମଙ୍ଗଳାସାହିର ସନ୍ତୋଷ ନାୟକ ଓରଫ ରକେଟ(୨୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ରଶ୍ମି ରଞ୍ଜନ ନାୟକ(୩୧), ନୟାଗଡ ଜିଲା ଖଣ୍ଡପଡାର ବୁଲୁ ନାୟକ(୨୮) ଓ ଇଟାମାଟିର ସର୍ବେଶ୍ୱର ଗୋଚ୍ଛାୟତ(୨୮)। ସେମାନଙ୍କଠାରୁ ୩୦ଟି ସୁନା ଚେନ୍‌, ୩ଟି ସ୍ପିଡ୍‌ ବାଇକ, ୨ ବ୍ଲାକ୍‌ ଜ୍ୟାକେଟ ଓ ବିଭିନ୍ନ ଘରୋଇ ସଂସ୍ଥାରୁ ହୋଇଥିବା ଋଣ ସଂକ୍ରାନ୍ତ କାଗଜପତ୍ର ଜବତ ହୋଇଛି। ଅଭିଯୁକ୍ତମାନେ ଶହୀଦନଗର ଥାନାରେ ହୋଇଥିବା ୯ଟି ମାମଲା, ନୟାପଲ୍ଲୀ ଓ କ୍ୟାପିଟାଲ ଥାନାରେ ୩ଟି ମାମଲାରେ ସମ୍ପୃକ୍ତ ଥିବା ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନେ ଲୁଟ୍‌ ଗହଣାକୁ କିଛିଦିନ ପାଖରେ ରଖିବା ପରେ ଏହାର ଜାଲ ବିଲ୍‌ ତିଆରି କରି ଏହାକୁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ନେଉଥିଲେ। ଋଣ କରିବା ଲାଗି ସେମାନେ ନିଜ ମା’, ସ୍ତ୍ରୀ ଓ ଭଉଣୀଙ୍କ ନାମରେ କାଗଜପତ୍ର ଦାଖଲ କରୁଥିଲେ।
ଅଭିଯୁକ୍ତମାନେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିଲେ। ଛିନ୍‌ତାଇ ଲାଗି ଅଭିନବ ତରିକା ଆପଣାଇଥିଲେ। ଅପରାଧ କରିବା ସମୟରେ ସମସ୍ତ ଅଭିଯୁକ୍ତ କଳା ରଙ୍ଗର ଜ୍ୟାକେଟ ପିନ୍ଧିବା ସହ ସ୍ପିଡ୍‌ ବାଇକ ବ୍ୟବହାର କରିଥାନ୍ତି। ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ ରଖିବା ସହ ଗାଡିରେ ବ୍ୟବହାର କରୁଥିବା ନମ୍ବର ପ୍ଲେଟ୍‌କୁ ଲିଭାଇ ଦେଇଥାନ୍ତି। ଭୁବନେଶ୍ୱରରେ ବିଶେଷକରି ବିଭିନ୍ନ ଗଳିକନ୍ଦିରେ ବୁଲି ଚେନ ପିନ୍ଧା ମହିଳାଙ୍କୁ ଟାର୍ଗେଟ କରି ଲୁଟ୍‌ କରୁଥିଲେ। ଗତ ୬ ମାସ ମଧ୍ୟରେ ଶହୀଦନଗର, ନୟାପଲ୍ଲୀ, ଖାରବେଳନଗର, କ୍ୟାପିଟାଲ, ପାହାଳ ଆଦି ଥାନା ଅଞ୍ଚଳରେ ବହୁ ଚେନ୍‌ ଲୁଟ କରି ଥିବା ଜଣାପଡିଛି। ପୋଲିସ ସିସିଟିଭି ଫୁଟେଜ,ଗାଡିର ନମ୍ବର ଆଦି ଯାଞ୍ଚ କରି ତଥ୍ୟ ହାସଲ ପରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

Share