ଅସରାଏ ବର୍ଷାରେ ବ୍ଲକ କାର୍ଯ୍ୟାଳୟ ଜଳବନ୍ଦୀ

ବାସୁଦେବପୁର,୧୪।୭(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଗୁରୁବାର କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ଅପରାହ୍ନରେ ଅସରାଏ ବର୍ଷାରେ ଅଫିସ୍‌ ପରିସର ଜଳମଗ୍ନ ହୋଇଛି। ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ଫଳରେ ବନ୍ୟାର ଭ୍ରମ ସୃଷ୍ଟି କରିଛି। ବାସୁଦେବପୁର ଅତୀତରେ ୨ଥର ଶ୍ରେଷ୍ଠ ବ୍ଲକ ଭାବେ ପୁରସ୍କୃତ ହୋଇଛି। ହେଲେ ବ୍ଲକର ଅବସ୍ଥା କହିଲେ ନ ସରେ। ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରୁଛନ୍ତି। ତାହାର ବିନିଯୋଗରେ ପଞ୍ଚାୟତର ବିକାଶ ହେଉଥିବା ବେଳେ ବ୍ଲକ କାର୍ଯ୍ୟାଳୟରେ ଏପରି ସମସ୍ୟା ଦେଖିବାକୁ ମିଳୁଛି। ଅଫିସ୍‌ ପରିସର କଂକ୍ରିଟ ହୋଇଥିବା ବେଳେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ଠିକ୍‌ ଭାବେ କରାଯାଇ ନ ଥିବାରୁ ଏଭଳି ସମସ୍ୟା ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷାପାଣି ଜମି ରହିଥିବାରୁ ବ୍ଲକ କାର୍ଯ୍ୟାଳୟକୁ ଯିବାଆସିବା କରିବା କଷ୍ଟକର ହୋଇଛି। ବ୍ଲକରେ ମାଳ ମାଳ ଯନ୍ତ୍ରୀ କାର୍ଯ୍ୟ କରୁଥିବା ବେଳେ ବ୍ଲକ ଅଫିସ୍‌ ପରିସରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେବା ଯନ୍ତ୍ରୀ ଓ ଅଧିକାରୀଙ୍କ କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି। ଡ୍ରେନେଜ୍‌ ବ୍ୟବସ୍ଥା ପ୍ରତି କାହାରି ନିଘା ନାହିଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ପରିସରରେ ଥିବା ସିଡିପିଓ, ପରିସଂଖ୍ୟାନ, ଯୋଗାଣ ବିଭାଗ, ମୋ ସରକାର, ବିଡିଓଙ୍କ କାର୍ଯ୍ୟାଳୟ ଆଦି ଜଳଘେରରେ ରହିଛି। ସେହିପରି ସାମାନ୍ୟ ବର୍ଷା ହେଲେ ବ୍ଲକର ପ୍ରବେଶପଥରେ ପାଣି ଜମି ରହି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏ ସମ୍ପର୍କରେ ବିଡିଓ ସତ୍ୟଜିତ ରାଉତ କହିଛନ୍ତି, ଡ୍ରେନେଜ ବ୍ୟବସ୍ଥା ଠିକ୍‌ ଭାବେ କରିବାକୁ ପଦକ୍ଷେପ ନିଆଯାଉଛି। ବ୍ଲକର ଉତ୍ତର ଦିଗରେ ଏକ ନୂତନ କୋଠାଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଏହି ଦିଗରେ ଥିବା ଡ୍ରେନ୍‌କୁ ସଫେଇ କରାଯାଇ ମୁଖ୍ୟ ଡ୍ରେନ୍‌କୁ ସଂଯୋଗ ହେଲେ ଜଳ ନିଷ୍କାସନ ହେବ।