ବିଦେଶକୁ ଲମ୍ବିଛି ନୀଳରକ୍ତ କଙ୍କଡ଼ା ର଼୍ୟାକେଟ୍‌

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରରେ ବିରଳ ପ୍ରଜାତିର ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ବହୁଳ ମାତ୍ରାରେ ଦେଖାଯାଇଥାନ୍ତି। ବଙ୍ଗୋପସାଗରର ଓଡ଼ିଶା ଉପକୂଳ ସନ୍ତସନ୍ତିଆ ହେନ୍ତାଳ ଜଙ୍ଗଲ ଓ ବାଲିଚରରେ ମଧ୍ୟ ଏମାନେ ଦେଖିବାକୁ ମିଳିଥାନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗହୀରମଥା, ସାମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା, ମାଦଳୀ ମୁହାଣ, ଲଞ୍ଚଘୋଲା, ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ପ୍ରବାହିତ ନଦୀନାଳରେ ନୀଳରକ୍ତ କଙ୍କଡ଼ା ଦେଖିବାକୁ ମିଳିଛି। ଏହି ପ୍ରଜାତିର କଙ୍କଡ଼ାକୁ ଅସାଧୁ ବ୍ୟବସାୟୀ ବିଦେଶ ଚାଲାଣ କରି ଲାଭବାନ୍‌ ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟତଃ ଶୀତଋତୁରେ ନୀଳରକ୍ତ କଙ୍କଡା ମିଳନ ପାଇଁ କୂଳକୁ ଆସିଥିବାବେଳେ ଏମାନଙ୍କୁ ଧରି ସ୍ଥାନୀୟ ବ୍ୟବସାୟୀ ପାରାଦୀପକୁ ଚୋରା ଚାଲାଣ କରିଥାନ୍ତି। ସେଠାରୁ କୋଲକାତା ବାଟଦେଇ ବିଦେଶ ପଠାଯାଇଥାଏ ବୋଲି ଜଣେ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କାରଣ ଏମାନଙ୍କ ରକ୍ତ ଔଷଧ ଓ ମଣିଷଙ୍କ ରୋଗ ନିଦାନରେ ବ୍ୟବହାର କରାଯାଇଥାଏ। ଏକ ରିପୋର୍ଟରୁ ଜଣାଯାଏ, ନୀଳରକ୍ତ କଙ୍କଡ଼ାଙ୍କ ୧ ଲିଟର ରକ୍ତର ଦାମ ବିଦେଶରେ ୧୧ ଲକ୍ଷ ଟଙ୍କା। ନୀଳରକ୍ତ କଙ୍କଡ଼ାଙ୍କୁ ଯେଉଁଭଳି ଭାବେ ଧରାଯାଉଛି, ଆଗାମୀଦିନରେ ଏହାର ବଂଶ ଲୋପ ପାଇଯିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ବିଶ୍ୱର ବହୁ ପୁରାତନ ଜୀବଙ୍କ ମଧ୍ୟରେ ଅନ୍ୟତମ ହର୍ଷସୁ କ୍ରାବ୍‌ ବା ନୀଳରକ୍ତ କଙ୍କଡ଼ା ଡାଇନୋସର ପୂର୍ବରୁ ପୃଥିବୀରେ ଦେଖାଯାଉଥିବା କୁହାଯାଏ। ଆମେରିକାରେ ମେଡିକାଲ ଆନାଲିସିସ୍‌ରେ ଜଣାପଡିଥିଲା, ଏହି କଙ୍କଡ଼ା ୪୫ କୋଟି ବର୍ଷରୁ ଅଧିକ ସମୟ ଧରି ପୃଥିବୀରେ ଅଛନ୍ତି। ତେଣୁ ଏମାନଙ୍କୁ ଲିଭିଂ ଫସିଲ୍‌ ୪ର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରଜାତିର କଙ୍କଡ଼ାଙ୍କ ରକ୍ତରେ ଆଇରନ ବଦଳରେ କପର ବା ତମ୍ବା ସହ ହେମାସିଆନିନ ନାମକ ଏକ ରାସାୟନିକ ପଦାର୍ଥ ଥିବାରୁ ଏମାନଙ୍କ ରକ୍ତର ରଙ୍ଗ ନୀଳ ହୋଇଥାଏ। ତେଣୁ ଏମାନଙ୍କୁ ନୀଳରକ୍ତ କଙ୍କଡ଼ା କୁହାଯାଏ। ଏହି ପ୍ରଜାତିର କଙ୍କଡ଼ାଙ୍କ ରକ୍ତରେ ଥିବା ରାସାୟନିକ ପଦାର୍ଥ ମଣିଷ ରକ୍ତରେ ଥିବା ରୋଗ ନିଦାନ ଚିହ୍ନଟରେ ସାହାଯ୍ୟ କରିଥାଏ। ଉପକୂଳବର୍ତ୍ତୀ ନଦୀ, ନାଳ ଓ ସମୁଦ୍ର କୂଳରେ ଥିବା ହେନ୍ତାଳ ବନରେ ଏମାନେ ରହୁଥିବା ହେତୁ ପରିବେଶ ସନ୍ତୁଳନ ସଜାଡ଼ିବାରେ ମୁଖ୍ୟ ଭୂମିକା ନିଭାଇଥାନ୍ତି। ହେନ୍ତାଳ ଗଛମୂଳ, ଦୋରସା ବାଲିଆ ପଙ୍କ ସନ୍ତସନ୍ତିଆ ସ୍ଥାନରେ ପ୍ରାୟ ସମୟରେ ଯୋଡ଼ା ଯୋଡ଼ା ହୋଇ ନୀଳରକ୍ତ କଙ୍କଡ଼ା ପଡ଼ିଥିବା ଲକ୍ଷ୍ୟ କରାଯାଏ। ଅମାବାସ୍ୟା ଓ ପୂର୍ଣ୍ଣିମା ତିଥିରେ ଏହି କଙ୍କଡ଼ା ମିଳନ ପାଇଁ ସମୁଦ୍ରରୁ କୂଳ ଆଡ଼କୁ ଅଧିକ ସଂଖ୍ୟାରେ ଆସିଥାନ୍ତି। ନଭେମ୍ବରଠାରୁ ଫେବୃୟାରୀ ପର୍ଯ୍ୟନ୍ତ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। କଙ୍କଡ଼ାଗୁଡିକର ରକ୍ତରୁ ବହୁ ମହୌଷଧି ଓ ଦୁରାରୋଗ୍ୟ ବ୍ୟାଧିର ଉପଶମ ପାଇଁ ଔଷଧ ତିଆରି ହୋଇଥାଏ। ସେମାନଙ୍କ ବଂଶ ବିସ୍ତାର ପାଇଁ ବେଶ୍‌ ସୁରକ୍ଷିତ ମନେ କରି ଗହୀରମଥା ଅଞ୍ଚଳକୁ ନିରାପଦ ଆଶ୍ରୟସ୍ଥଳ ଭାବେ ବାଛି ନେଇଛନ୍ତି। କିନ୍ତୁ ଦିନକୁ ଦିନ ନଦୀନାଳରେ ମାଛଧରା ପାଇଁ ବ୍ୟବହୃତ ମେଶିନ ଚାଳିତ ବୋଟ୍‌, ମାଛ ଧରିବାରେ ଅତ୍ୟାଧୁନିକ ଗାଞ୍ଜ ପ୍ଲାଷ୍ଟିକ ଜାଲ ବ୍ୟବହାର ଏମାନଙ୍କ ପାଇଁ ବିପଦ ଆଣିଛି। ମାଦଳୀ ମୁହାଣ ବେଳାଭୂମିରେ ଏହି ବିରଳ ପ୍ରଜାତିର କଙ୍କଡ଼ା ଜାଲରେ ଛନ୍ଦି ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହି ପ୍ରଜାତିର କଙ୍କଡ଼ା ପ୍ରଜନନ ପୂର୍ବରୁ ମରଣମୁହଁକୁ ଠେଲି ହୋଇ ଯାଉଛନ୍ତି। ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କୁହନ୍ତି, ନୀଳରକ୍ତ କଙ୍କଡ଼ାଙ୍କ ରକ୍ତ ବହୁ ମାରାତ୍ମକ ରୋଗର ନିଦାନ ପାଇଁ ବ୍ୟବହାର ହେଉଛି। ସେମାନଙ୍କ ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ବନ ବିଭାଗ ପଦକ୍ଷେପ ନେବା ସହ ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି।