ଯୋଗିନୀ ତନ୍ତ୍ରରେ କୁହାଗଲା, ପୁରୁଷୋତ୍ତମ କ୍ଷେତ୍ରରେ ନ ଥିଲେ ମଧ୍ୟ ଜଣେ ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ କୀର୍ତ୍ତନ କଲେ ‘ବିଷ୍ଣୁପୁର’ ଲାଭ କରିଥାଏ। ଦୂରରେ ରହି ଶ୍ରୀପୁରୁଷୋତ୍ତମଙ୍କ ଧ୍ୱଜ ଦର୍ଶନ କଲେ ‘ବିଷ୍ଣୁଲୋକ’ ପ୍ରାପ୍ତ ହୁଏ।
‘ସର୍ବପାପ ବିନିମୁକ୍ତେ ବିଷ୍ଣୁଲୋକଂ ବ୍ରଜେନ୍ନଗଃ।
ଧ୍ୱଜଂ ଦୃଷ୍ଟ୍ବା ହରେ ଦୂରାତ୍ ପ୍ରାସାଦୋପରି ସଂସ୍ଥିତମ୍।’
ଶ୍ରୀପୁରୁଷୋତ୍ତମଙ୍କ ପ୍ରାସାଦର ଧ୍ୱଜ ‘ପତିତପାବନ ବାନା’ ରୂପେ ପ୍ରସିଦ୍ଧ। ମହାପ୍ରଭୁଙ୍କ ନାମ ବା ଗୁଣକୀର୍ତ୍ତନ ଏବଂ ତାଙ୍କର ନୀଳଚକ୍ର ଉପରେ ଶୋଭା ପାଉଥିବା ପତିତପାବନ ବାନାକୁ ତନ୍ତ୍ରରେ ମର୍ଯ୍ୟାଦା ଦିଆଯାଉଥିବାରୁ ସେ ବିଜେ କରିଥିବା ତୀର୍ଥ ଯେ ତନ୍ତ୍ରରେ କେଉଁପରି ମାନ୍ୟତା ଲାଭ କରିଥିଲା ବିଚାର କରିବା କଥା। ଶ୍ରୀପୁରୁଷୋତ୍ତମ ବିଜେ କରିଥିବା ତୀର୍ଥର ନାମ ମଧ୍ୟ ପୁରୁଷୋତ୍ତମ ତୀର୍ଥ। ସମସ୍ତ ବର୍ଣ୍ଣଙ୍କ ମଧ୍ୟରେ ‘ଆକାର’ ଯେପରି ଶ୍ରେଷ୍ଠ, ଛନ୍ଦ ମଧ୍ୟରେ ‘ଗାୟତ୍ରୀ’, ଜଳଜନ୍ତୁଙ୍କ ମଧ୍ୟରେ ବରୁଣ, ସଂଯମ ମଧ୍ୟରେ ‘ଯମ’, ନଦୀ ମଧ୍ୟରେ ସମୁଦ୍ର ଯେପରି ଶ୍ରେଷ୍ଠ, ଠିକ୍ ସେହିପରି ସର୍ବତୀର୍ଥ ମଧ୍ୟରେ ‘ପୁରୁଷୋତ୍ତମତୀର୍ଥ’ ଶ୍ରେଷ୍ଠ।
କାହିଁକି ଶ୍ରେଷ୍ଠ! ତା’ର ରହସ୍ୟ ବି ଯୋଗିନୀତନ୍ତ୍ରରେ ଖୋଲି ଦିଆଯାଇଛି। ଗୟାକ୍ଷେତ୍ରରେ ଜଣେ ଯଦି ପାପ କଲା (ପାପାୟ ପରପୀଡ଼ନମ୍, ଅନ୍ୟକୁ ପୀଡ଼ା ଦେବା ପାପ। ପୀଡ଼ା ଚାରି ପ୍ରକାର-ଶାରୀରିକ ପୀଡା ବା କଷ୍ଟ, ମାନସିକ ପୀଡ଼ା, ଆର୍ଥିକ ପୀଡ଼ା ଓ ବାଚନିକ ପୀଡ଼ା) ତାହା ରାମ କ୍ଷେତ୍ରରେ ବିନିଷ୍ଟ ହୁଏ। ରାମକ୍ଷେତ୍ରରେ ଯଦି ପାପ ଆଚରଣ କଲା, ତେବେ ମଣିକୂଟ କ୍ଷେତ୍ରରେ ତାହା ବିନଷ୍ଟ ହୁଏ। ମଣିକୂଟରେ ଯଦି ପୁଣି ପାପ ଆଚରଣ କରେ, ତେବେ ନୀଳଶୈଳ କ୍ଷେତ୍ରରେ ବା ପୁରୁଷୋତ୍ତମ କ୍ଷେତ୍ରରେ ନଷ୍ଟ ହୁଏ। ଆଉ ଯଦି ନୀଳଶୈଳରେ ପାପ ଆଚରଣ କଲା? ସେ ପାପ ନଷ୍ଟ ପାଇଁ ଆଉ କ୍ଷେତ୍ର ନାହିଁ। କେବଳ ଅନ୍ତଃକରଣରେ ତାକୁ ନଷ୍ଟ କରାଯାଇ ପାରିବ।
ତନ୍ତ୍ର ପରମ୍ପରାର ‘ଯୋଗ’ ରହସ୍ୟ କଥା ଏଥିରେ ଠାରି ଦିଆଯାଇଛି। ନୀଳଶୈଳରେ ଯିଏ ପାପ କରିବ, ତାର ଆଉ ଚଳନ ନାହିଁ, ନିଜ ଅନ୍ତରରେ ଚଳନ କରାଇବାକୁ ପଡ଼େ। ଆତ୍ମସାତ୍ କରିବାକୁ ପଡ଼େ। ପୁଣ୍ୟରେ ରୂପାନ୍ତରିତ କରାଇ ମହାନୁଭବତାକୁ ଆପଣେଇବାକୁ ପଡ଼େ। ମହାନୁଭବ ନ ହେଲେ ମାନବବାଦର ଧାରା ସୃଷ୍ଟି ହୋଇପାରିବ ନାହିଁ। ମାନବବାଦର ଧାରା ସୃଷ୍ଟି ପରେ ତାକୁ ପରୋପକାରରେ ବୁହାଇଦେବାକୁ ପଡ଼େ। ସେ ସୁଯୋଗ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ହିଁ ରହିଛି। ପରୋପକାରାୟ ସ୍ବର୍ଗାୟ….।