ଉଦ୍‌ଘାଟନ ହେଲା ବୋଟ୍‌ ଆମ୍ବୁଲାନ୍ସ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୨୮।୧(ଡି.ଏନ୍‌.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଅବସରରେ ବୁଧବାର ବୋଟ୍‌ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ ହୋଇଯାଇଛି। ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପ ପକ୍ଷରୁ ଗୁରୁପ୍ରିୟା ସେତୁ ନିକଟରେ ବିଏସ୍‌ଏଫ୍‌ ଡିଆଇଜି ସଞ୍ଜୟ କୁମାର ସିଂ ଏହି ସେବାକୁ ଲୋକାର୍ପଣ କରିଥିଲେ। ଏହାଦ୍ୱାରା ଯନ୍ତ୍ରୀ, ପଣସପୁଟ, ଅଣ୍ଡ୍ରାପାଲି, ଜୋଡାମ୍ବ ପଞ୍ଚାୟତର ୩୫ଟି ଗ୍ରାମର ୩୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ। ବର୍ତ୍ତମାନ ମଧ୍ୟ ସ୍ବାଭିମାନ ଅଞ୍ଚଳର ବହୁ ଗ୍ରାମକୁ ରାସ୍ତାଘାଟ ନାହିଁ। ୧୦୮ ଆମ୍ବୁଲାନ୍ସ ସେହି ଅଞ୍ଚଳରେ ପହଞ୍ଚତ୍ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଏହି ବୋଟ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ମୋବାଇଲ ନମ୍ବର ମଧ୍ୟ ବିଏସ୍‌ଏଫ୍‌ ପକ୍ଷରୁ ଜାରି କରାଯାଇଛି। ଏହି ନମ୍ବରକୁ ଫୋନ୍‌ କଲେ ଆମ୍ବୁଲାନ୍ସ ସେଠାରେ ପହଞ୍ଚତ୍ ରୋଗୀଙ୍କୁ ଆଣିବ। ଏହି କାର୍ଯ୍ୟକ୍ରମରେ ବିଏସ୍‌ଏଫ୍‌ର ପଦାଧିକାରୀ ଓ ଯବାନମାନେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ସ୍ବାଭିମାନ ଅଞ୍ଚଳର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ସରକାର ଦୁଇଟି ବୋଟ୍‌ ଆମ୍ବୁଲାନ୍ସ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟକୁ ଯୋଗାଇ ଦେଇଥିଲେ। ତେବେ ଏହା ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ସମ୍ପୂର୍ଣ୍ଣ ସହାୟକ ହୋଇପାରୁ ନ ଥିଲା। ଉକ୍ତ ଅଞ୍ଚଳରେ ଯାତାୟାତ ପାଇଁ ଜଳପଥ ଏକମାତ୍ର ମାଧ୍ୟମ ହୋଇଥିବାରୁ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ପାଇଁ ଏବେ ଆଉ ଗୋଟିଏ ବୋଟ୍‌ ଆମ୍ବୁଲାନ୍ସ ଅଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।

Share