କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି ବ୍ୟକ୍ତି ଗାତରେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ କର୍ନାଟକରେ ଭାଜପା ସରକାରଙ୍କୁ ଘେରି କଂଗ୍ରେସ ଓ ଜେଡିଏସ୍‌ ସମାଲୋଚନା କରିଛି। ସୂଚନାଯୋଗ୍ୟ, ବେଲାରୀରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅତି ନିର୍ଦ୍ଦୟ ସହକାରେ ଆମ୍ବୁଲାନ୍ସରୁ ଗୋଟେ ପରେ ଗୋଟେ କଢ଼ାଯାଇ ଏକ ଗାତରେ ଅଳିଆ ଭାବେ ଫୋପାଡାଯାଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଆଉ ଏଭଳି କାର୍ଯ୍ୟ କରୁଛନ୍ତି ପିପିଇ କିଟ୍‌ ପିନ୍ଧିଥିବା କର୍ମଚାରୀ। ତେବେ ସରକାରୀ କର୍ମଚାରୀଙ୍କ ଏଭଳି ଆଚରଣକୁ ଦେଖି ରାଜନୈତିକ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି।

କର୍ନାଟକରେ ଭାଜପା ସରକାରଙ୍କୁ ଏନେଇ କଂଗ୍ରେସ ଓ ଜେଡିଏସ୍‌ ଟାର୍ଗେଟ କରି ଟୁଇଟ କରିଛି। ଜେଡିଏସ୍‌ ଟୁଇଟ କରି ପ୍ରଶ୍ନ କରିଛି ଯେ, କରୋନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ କ’ଣ ଏହା ସୁପରିଚାଳନା। ସେହିପରି କରୋନା ସଙ୍କଟକୁ ସରକାର କିଭଳି ନିୟନ୍ତ୍ରଣ କରୁଛନ୍ତି ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର ଟୁଇଟ କରି କହିଛନ୍ତି। ତେବେ ଏହି ଘଟଣାରେ ମୁଖମନ୍ତ୍ରୀ ୟେଦୁରପ୍ପା ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ମାନବ ଧର୍ମରୁ ଆଉ କିଛି ବଡ଼ ନୁହେଁ। ତେଣୁ ସମ୍ମାନର ସହ ସେମାନଙ୍କ ଅନ୍ତିମ ସଂସ୍କାର କରାଯାଉ ବୋଲି ୟେଦୁରପ୍ପା ସ୍ବାସ୍ଥ୍ୟକର୍ମୀଙ୍କୁ ନିବେଦନ କରିଛନ୍ତି। ଅପରପକ୍ଷେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବିତ କରାଯାଇଛି ବୋଲି କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Share