ପାର୍କ ଭିତରେ ଥିବା ପୋଖରୀରୁ ମିଳିଲା ଦୁଇ ଭାଇଙ୍କ ମୃତଦେହ

ବ୍ରହ୍ମପୁର,୧୧।୭(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ଭିତରେ ଥିବା ପୋଖରୀ(ଜଳାଶ୍ରୟ)ରୁ ମଙ୍ଗଳବାର ୨ଟି ମୃତଦେହ ପୋଲିସ ଉଦ୍ଧାର କରିଛି। ସେମାନେ ଦୁଇ ଭାଇ ବୋଲି ପୋଲିସ କହିଛି। ମୃତକ ମାନେ ହେଲେ ବଡ଼ବଜାର ଗୌଡ଼ ସାହି ନିକଟ ରାଜଜେମା ସାହିର କେ. ଜନାର୍ଦ୍ଦନ ରାଓ(୬୫)କେ. ରାଙ୍ଗା ରାଓ(୬୨)। ପୋଲିସ ମୃତଦେହ ଉଦ୍ଧାର କରି ପୃଥକଭାବେ ଦୁଇଟି ଆପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇଛି। ସୋମବାର ସାରେ ଦୁଇ ଭାଇ ଘରୁ ବାହାରି କେଉଁଆଡେ ଚାଲିଯାଇଥିଲେ। ରାତିରେ ଘରକୁ ଫେରି ନଥିଲେ। ମଙ୍ଗଳବାର ସକାଳୁ ଦୁଇଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇ ପାର୍କର ସୁରକ୍ଷା ଗାର୍ଡ ଏନେଇ ପୋଲିସକୁ ଖବର କରିଥିଲା। ସେମାନଙ୍କୁ କେହି ପୋଖରୀକୁ ଠେଲି ଦେଇଛି ନା ସେମାନେ ପୋଖରୀକୁ ଡେଇଁଛନ୍ତି ସେ ଦିଗରେ ପୋଲିସ ଏବେ ତଦନ୍ତ କରୁଛି।