ବ୍ରିଜ୍‌ ତଳୁ ମିଳିଲା ଭିମ୍‌ସାର ଛାତ୍ରଙ୍କ ମୃତଦେହ

ସମ୍ବଲପୁର,୨୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ତଳୁ ସୋମବାର ଭିମ୍‌ସାରର ଡିଏମ୍‌ଆର୍‌ଟି (ଡିପ୍ଲୋମା ଇନ୍‌ ରେଡିଓଥେରାପି) ଛାତ୍ର ବିଶ୍ୱରଞ୍ଜନ ଷଡଙ୍ଗୀ (୨୧)ଙ୍କ ମୃତଦେହ ଜବତ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଏସ୍‌ଡିପିଓ ଏସ୍‌. ଦାଶ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନର ମୂଳ ବାସିନ୍ଦା ବିଶ୍ୱରଞ୍ଜନ ଭିମ୍‌ସାରରେ ଡିଏମ୍‌ଆର୍‌ଟି ଦ୍ୱିତୀୟ ବର୍ଷରେ ପଢୁଥିଲେ। ବୁର୍ଲା ସହରରେ ସେ ଏକ ଭଡ଼ାଘର ନେଇ ରହୁଥିଲେ। ରବିବାର ରାତିରେ ଭଡାଘରକୁ ଫେରି ନ ଥିଲେ। ସକାଳେ ପିସି ବ୍ରିଜ ତଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ନେଇ ୧୧୨ ସେବାରେ ନିୟୋଜିତ କର୍ମଚାରୀଙ୍କଠାରୁ ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ପଥରରେ ପଡିଥିବାରୁ ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଛି। ଯୁବକଙ୍କ ପାଖରେ କୌଣସି ପରିଚୟପତ୍ର ନ ଥିବାରୁ ଚିହ୍ନଟ କରାଯାଇପାରି ନ ଥିଲା। ପରେ ମଧ୍ୟାହ୍ନ ୧୨ଟା ସମୟରେ ଭଡ଼ାଘର ମାଲିକ ମୃତଦେହ ବିଶ୍ୱରଞ୍ଜନଙ୍କର ବୋଲି ପୋଲିସକୁ କହିଥିଲେ। ପରିବାରବର୍ଗ ଆସି ସ୍ପଷ୍ଟ କରିବା ପରେ ବ୍ୟବଚ୍ଛେଦ କରାଯାଇଥିଲା। ପୋଲିସ ପରିବାର ଲୋକଙ୍କୁ ପଚରାଉଚରା ସହ ଭଡ଼ାଘର ଯାଞ୍ଚ କରିଛି। ତାଙ୍କ ମୋବାଇଲ ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି।

Share