ଟ୍ରେଲରରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ

କୁତ୍ରା,୨୩ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେ ଗଙ୍ଗାଜଳ ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ ଟ୍ରେଲର(ସିଜି୨୨ ଏକ୍ସ ୯୩୫୧)ରୁ ଡ୍ରାଇଭରଙ୍କ ମୃତଦେହ ଜବତ ହୋଇଛି। ମୃତ ଚାଳକଙ୍କ ବାମ ଜଙ୍ଘରେ ଆକ୍ରମଣ ହୋଇଥିବାର ଚିହ୍ନ ଥିବା ବେଳେ ଗାଡ଼ି ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଲୁଟ୍‌ ପାଇଁ ଏଭଳି ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଚାଳକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ସାଇଣ୍ଟିଫିକ୍‌ ଦଳକୁ ଖବର ଦିଆଯାଇଛି।

ପ୍ରକାଶ ଥାଉକି, ଟ୍ରେଲରଟି କୋଇଡ଼ାରୁ ଲୁହାପଥର ନେଇ ଆସୁଥିବା ଜଣାପଡ଼ିଛି। ଗତକାଲି ରାତି ୧୧ଟାରେ ରମାବାହାଲସ୍ଥିତ ଟୋଲ୍‌ଗେଟ୍‌ ଅତିକ୍ରମ କରିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ସାଇଣ୍ଟିଫିକ୍‌ ଟିମ୍‌ ଆସିଲେ ମୃତଦେହ ଉଦ୍ଧାର କରାଯିବ ବୋଲି ପୋଲିସ ପ୍ରକାଶ କରିଛି।