ନିଖୋଜ ଝିଅର ମିଳିଲା ମୃତ ଦେହ

ସମ୍ବଲପୁର,୫ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡା ମହିଳା ଘାଟରେ ସୋମବାର ଗୋଟିଏ ପରିବାରର ୩ଜଣ ସଦସ୍ୟ ଭାସିଯାଇଥିଲେ। ଖୋଜାଖୋଜି ପରେ ବାପା ମହମ୍ମଦ ଅଲତାଫ (୪୫), ପୁଅ ମହମ୍ମଦ ଅଫତାବ (୧୫)ଙ୍କ ମୃତଦେହ ମିଳିଥିଲା। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଥିଲା। ମଙ୍ଗଳବାର ଅଗ୍ନିଶମ ବିଭାଗ କର୍ମଚାରୀ ପୁଣି ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ୨ଘଣ୍ଟା ପରିଶ୍ରମ କରିବା ପରେ ନିଖୋଜ ଝିଅ ରୁକ୍‌ସାନା ବେଗମ (୧୩)ଙ୍କ ମୃତଦେହ ଜବତ ହୋଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ସୋମବାର ଅପରାହ୍ନ ୪ଟାରେ ଧନୁପାଲି ଥାନା ପେନ୍‌ସନ୍‌ପଡାର ବାପା ମହମ୍ମଦ ଅଲତାଫ, ପୁଅ ମହମ୍ମଦ ଅଫତାବ, ଝିଅ ରୁକସାନା ବେଗମ ମହାନଦୀର ଦଲେଇପଡା ଘାଟକୁ ଗାଧୋଇବାକୁ ଯାଇଥିଲେ। ପ୍ରଥମେ ରୁକସାନା ପାଣିରେ ପଶିଥିବାବେଳେ ଗୋଡ ଖସିଯିବାରୁ ଭାସିଯାଇଥିଲେ। ଝିଅକୁ ଉଦ୍ଧାର କରିବା ପାଇଁ ବାପା ମହମ୍ମଦ ଅଲତାଫ ପାଣିକୁ ଡେଇଁଥିଲେ। ବାପାକୁ ବଞ୍ଚାଇବାକୁ ଯାଇ ପୁଅ ମହମ୍ମଦ ଅଫତାବ ମଧ୍ୟ ପାଣିକୁ ଡେଇଁ ପଡିଥିଲେ। ନିକଟରେ ଗାଧୋଉଥିବା ମହିଳାମାନେ ପାଣିରେ ଭାସିଗଲେ କହି ଚିତ୍କାର କରିଥିଲେ। ଏହା ଶୁଣି ମତ୍ସ୍ୟଜୀବୀମାନେ ଡଙ୍ଗାରେ ଖୋଜାଖୋଜି କରି ପ୍ରଥମେ ପୁଅ ଅଫତାବଙ୍କ ମୃତଦେହ ପାଇଥିଲେ। କିଛିସମୟ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ବାପା ଅଲତାଫଙ୍କ ମୃତଦେହ ଜବତ କରିଥିଲେ।

Share