ଘରୁ ମିଳିଲା ମା’ଝିଅଙ୍କ ମୃତଦେହ

ନାକଟିଦେଉଳ,୧ା୪: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦଖିବାକୁ ମିଳିଛି। ଘର ଭିତରୁ ମା’ଝିଅଙ୍କ ମୃତଦେହ କିସିଣ୍ଡା ପୋଲିସ ଜବତ କରିଛି। ମୃତକ  ହେଲେ ସୁଜାତା ପଟେଲ (୪୦) ଓ ତାଙ୍କ ନବମ ଶ୍ରେଣୀରେ ପଢୁଥିବା ଝିଅ ଉତ୍କଳିକା(ରଶ୍ମି)। କିସିଣ୍ଡା ଥାନା ଅଧିକାରୀ ଚିତ୍ତରଞ୍ଜନ ନାଏକ, ରେଢାଖୋଲ ଏସ୍‌ଡ଼ିପିଓ ହାଡ଼ିବନ୍ଧୁ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ସାଇଣ୍ଟିଫିକ ଟିମ୍‌ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, କିସିଣ୍ଡା ଗ୍ରାମର କିଶୋର ପଟେଲ ଯୁକ୍ତ ୩ରେ ପଢୁଥିବା ବଡ଼ଝିଅ ରୋଜି ପଟେଲ, ଶ୍ୱଶୁର ଉପେନ୍ଦ୍ର ନାଏକ ଓ ଶାଶୁଙ୍କ ସହିତ ଗତ ଶନିବାର କୌଣସି କାର୍ଯ୍ୟରେ ସୁନ୍ଦରଗଡ଼ ଯାଇଥିଲେ। ତେବେ ଗୁରୁବାର ଅପରାହ୍ନ ପ୍ରାୟ ୧ଟାରେ କିଶୋର ବସ୍‌ରେ ଫେରି ଘରକୁ ଯାଇଥିଲେ। ସେ କବାଟ ଖୋଲି ଘର ଭିତରେ ପଶିବାରୁ ପଚାଗନ୍ଧ ଆସିଥିଲା। ଘରେ ଥିବା ସ୍ତ୍ରୀ ସୁଜାତା, ଝିଅ ରଶ୍ମିଙ୍କୁ ବହୁବାର ଡ଼ାକିଥିଲେ ମଧ୍ୟ ସେମାନେ ଖଟରୁ ଉଠି ନ ଥିଲେ। ସନ୍ଦେହ ହେବାରୁ କିଶୋର ବାହାରକୁ ଆସି ସାହିପଡ଼ିଶା ଲୋକଙ୍କୁ ଜଣାଇଥିଲେ। ଖବର ପାଇ କିସିଣ୍ଡା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ଗତ ମଙ୍ଗଳବାର ରାତ୍ରିରୁ ମା’ଝିଅଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ରେଢାଖୋଲ ଏସଡ଼ିପିଓ ସ୍ବାଇଁଙ୍କୁ ପଚାରିବାରୁ, ମା’ ଝିଅଙ୍କ ମୃତଦେହ ଜବତ ହୋଇଥିବା ଘରୁ କୌଣସି ଜିନିଷପତ୍ର ଚୋରି ହୋଇନାହିଁ। ଶୋଇବା ଅବସ୍ଥାରେ ମୃତଦେହ ମିଳିଛି। ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ।

Share