ବ୍ରଜରାଜନଗର,୨୮ା୫: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା କାଳୀନଗର କଲୋନୀ ଏକ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ ଉକ୍ତ କ୍ୱାର୍ଟର୍ସରେ ସଦାନନ୍ଦ ବିଶ୍ୱାଳ (୮୦) ଓ ତାଙ୍କର ସ୍ତ୍ରୀ ମାୟା ବିଶ୍ୱାଳ ପୁଅ ବୋହୂଙ୍କ ସହ ରହୁଥିଲେ।
୬ ଦିନ ତଳେ ଦମ୍ପତିଙ୍କ ବୋହୂ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଏନେଇ ପୁଅ ମଧ୍ୟ ବୁର୍ଲାରେ ରହିଥିଲେ। ତାଙ୍କର ପଡୋଶୀ ଦିନେ ଦୁଇ ଦିନ ଦମ୍ପତିଙ୍କୁ ଖାଇବାକୁ ଦେଇଥିଲେ। ହେଲେ କୋଭିଡ୍ ସଂକ୍ରମିତ ହେବା ଭୟରେ ସେମାନେ ଆଉ ଖାଇବାକୁ ଦେଇ ନ ଥିବା ଜଣାପଡିଛି। ଫଳରେ ଉଭୟ ସ୍ବାମୀ ସ୍ତ୍ରୀ କବାଟ ବନ୍ଦ କରି ଘରେ ରହିଥିଲେ। ଶୁକ୍ରବାର କ୍ୱାର୍ଟର୍ସରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ତାଲା ଭାଙ୍ଗିବା ଉଭୟଙ୍କ ମୃତଦେହ ଖଟରେ ପଡିଥିବା ଦେଖିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।