ଆବର୍ଜନାରେ ପଡ଼ିଛି ନବଜାତକର ମୃତଦେହ

ଗଜପତି,୧୮ା୯(ଗିରିଧାରୀ ପରିଚ୍ଛା): ଆବର୍ଜନା ପୂର୍ଣ୍ଣ ଅଞ୍ଚଳରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଏଭଳି ଘଟଣା ସୋମବାର ସକାଳୁ ଦେଖିବାକୁ ମିଳିଛି ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହର ବଜାରର ମୁଖ୍ୟ ଗଳି ନିକଟରେ। ଗୋଟିଏ ଦୋକାନ ପାଖ ଆବର୍ଜନା ପୂର୍ଣ୍ଣ ଖାଲି ଜାଗାରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ସକାଳୁ ଦେଖିଥିଲେ। ଏହାପରେ ପାରଳାଖେମୁଣ୍ଡି ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁଟିର ମୃତଦେହ ଉଦ୍ଧାର କରି ସ୍ଥାନୀୟ ଅଞ୍ଚଳର ଦୋକାନଗୁଡ଼ିକର ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତ ଅବସ୍ଥାରେ ଶିଶୁଟି ଜନ୍ମ ହେବା ପରେ କେହି ଏଭଳି ଅବସ୍ଥାରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ।