କାମାକ୍ଷାନଗର, ୨।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କାନପୁରା ଗ୍ରାମସ୍ଥିତ ମିଶ୍ରିଲାଲ କମ୍ପାନୀ କ୍ୱାର୍ଟର୍ସରୁ ଜଣେ ସୁପରଭାଇଜରଙ୍କ ଝୁଲନ୍ତା ମୃତଦେହ ବୁଧବାର ପୂର୍ବାହ୍ନରେ ଠାବ କରାଯାଇଛି। ମୃତକ ହେଲେ ଖୁଣ୍ଟୁଣୀ ଥାନା ମହାକାଳବସ୍ତ ଗ୍ରାମର ଅମିତ ପୁହାଣ। ଅମିତଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।
ଅମିତ୍ ସକାଳେ ଶ୍ରମିକଙ୍କୁ କମ୍ପାନୀକୁ ପଠାଇଦେଇ କ୍ୱାର୍ଟର୍ସକୁ ଯାଇଥିଲେ। କିଛି ସମୟ ପରେ ପ୍ରକୋଷ୍ଠରେ ତାଙ୍କ ମୃତଦେହ ଝୁଲୁଥିଲା। ଏହା ଜଣାପଡ଼ିବା ପରେ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଓ ପୋଲିସକୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ କାମାକ୍ଷାନଗର ଥାନାଧିକାରୀ ସୁନୀଲ କୁମାର କର କୁହନ୍ତି, ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। କାରଣ ସେ ଘଟଣା ପୂର୍ବଦିନ ରାତିରେ ହ୍ବାଟ୍ସଆପ୍ରେ ଆତ୍ମହତ୍ୟା ସମ୍ପର୍କିତ ଷ୍ଟାଟସ୍ ଦେଇଥିଲେ। ଏଥିସହ ମୃତ୍ୟୁବେଳର ସମୟରେ ଭିଡିଓ ମଧ୍ୟ ରେକର୍ଡିଂ କରିଛନ୍ତି। ଏ ନେଇ କାମାକ୍ଷାନଗର ଥାନାରେ ନଂ. ୮/୨୨ରେ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବାବେଳେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।