ବସ୍ତାରୁ ଯୁବକଙ୍କ ମୃତଦେହ ଜବତ

ଜେନାପୁର,୨।୩(ଡି.ଏନ.ଏ.): ଜେନାପୁର ଥାନା ଏରଷଣ୍ଢା ଗ୍ରାମ ନିକଟସ୍ଥ ହାଇଲେଭଲ କେନାଲ କୂଳ ଏକ ଗଛମୂଳରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ବସ୍ତାରେ ବନ୍ଧାହୋଇ ପଡ଼ିଥିଲା। ଯାଜପୁର ରୋଡ୍‌ ଓ କୁଆଖିଆ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛନ୍ତି। ମୃତ ଯୁବକ ହେଲେ ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ମୁଣ୍ଡାମାଳ ଗ୍ରାମର ମାଧବ ମହାରଣା(୨୬)।
ପୋଲିସ ସୂଚନା ମୁତାବକ, ମାଧବ ୨୬ ତାରିଖରେ ଘରୁ ଆସି ଆଉ ଫେରି ନ ଥିଲେ। ପରିବାର ଲୋକେ ଖୋଜି ନିରାଶ ହୋଇଥିଲେ। ଏହାପରେ ତାଙ୍କ ସ୍ତ୍ରୀ ରଶ୍ମିତା ସ୍ବାମୀଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ଯେ, ତାଙ୍କ ସ୍ବାମୀ ବାଲି ଲୋଡ୍‌ କରିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ଯାଜପୁର ରୋଡ୍‌ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା। ତଦନ୍ତବେଳେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ପୋଲିସ କୁଆଖିଆ ଥାନା ବାରଡାଙ୍ଗି ଗ୍ରାମର ଦୁଇ ଯୁବକଙ୍କୁ ଅଟକ ରଖିଥିଲା। ସେମାନଙ୍କ ବୟାନ ଓ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ମୃତଦେହ ଜବତ ବେଳେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ଉପସ୍ଥିତ ଥିଲେ। ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର କୁମାର ନାୟକ କହିଛନ୍ତି, ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ଉପରୁ ରହସ୍ୟ ହଟିବ। ଅନ୍ୟପକ୍ଷରେ ମାଧବଙ୍କୁ ବାରଡାଙ୍ଗି ଗ୍ରାମର ସମ୍ପୃକ୍ତ ୨ ଯୁବକ ହତ୍ୟା କରିଥିବା ତାଙ୍କ ଭାଇ ବିଜୟ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା ନଂ.୭୫/୨୨ ରୁଜୁ ହୋଇଛି।