ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ରାଉରକେଲା ଅଫିସ,୨।୧୦: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ରେଲୱେ କ୍ୱାଟର୍ସରେ ବନ୍ଦ ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ହେଲେ ଯଶୋବନ୍ତ ବେହେରା(୩୫)। ସେ ବନ୍ଧମୁଣ୍ଡା ଡିଜେଲ କଲୋନୀ କ୍ୱାର୍ଟର୍ସ ନଂ ଡିଏଲ-୮/୨ରେ ରହୁଥିବା ବେଳେ ବନ୍ଧମୁଣ୍ଡା ରେଳ ଡିଭିଜନରେ କାମ କରନ୍ତି । ଗତ ଦୁଇଦିନ ହେଲା ତାଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯଶୋବନ୍ତଙ୍କୁ ତାଙ୍କ ଖଟ ଉପରେ ମୃତ ଅବସ୍ଥାରେ ପଡିଥିବା ଦେଖିଥିଲା ଏବଂ ମୃତଦେହ ଜବତ କରିଥିଲା। ପୋଲିସ ଏ ନେଇ ଏକ ମାମଲା (ନଂ.୧୬/୨୧) ରୁଜୁ କରି ତଦନ୍ତ ଚଳାଇଛି। କିନ୍ତୁ ଯଶୋବନ୍ତଙ୍କ ମୃତ୍ୟୁର କାରଣ ଏ ଯାଏ ଜଣାପଡିନାହିଁ।