ଯୁବକଙ୍କ ମୃତଦେହ ଜବତ, ହତ୍ୟା ଅଭିଯୋଗ ଆଣିଲେ ବାପା

ଫୁଲବାଣୀ, ୨୭ା୧୧(ରାକେଶ କୁମାର ରାଉତ): ଫୁଲବାଣୀସ୍ଥିତ ନାରାୟଣୀ ମନ୍ଦିର ନିକଟ ନଦୀ ପାଶର୍‌ବରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ଫୁଲବାଣୀ ଟାଉନ ଥାନା ପୋଲିସ ଜବତ କରିଛି । ଯୁବକ ଜଣକ ହେଲେ ସ୍ଥାନୀୟ ମୋଚି ସାହିର ବୈକୁଣ୍ଠ ମେହେର(୪୬)। ବୈକୁଣ୍ଠଙ୍କୁ ହତ୍ୟା କରାଯାଇଛି ବୋଲି ବାପା ଅଭିମନ୍ୟୁ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିବା ବେଳେ ବୈକୁଣ୍ଠଙ୍କ ସ୍ତ୍ରୀ ରଶ୍ମିତା ସ୍ବାମୀ ବିଷ ପିଇ ମରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିମନ୍ୟୁଙ୍କ ଅଭିଯୋଗ ଅନୁସାରେ, ବୈକୁଣ୍ଠ ପୂର୍ବରୁ ବିବାହିତ ଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ମରିଯିବା ପରେ ୨୦ ବର୍ଷ ହେବ କଳାହାଣ୍ଡି ଜିଲା ଜୁନାଗଡ ଅଞ୍ଚଳ କଟିକ୍‌ପଦର ଅଞ୍ଚଳର ଜଣେ ବିବାହିତା ମହିଳା ରଶ୍ମିତା ମେହେରଙ୍କୁ ବିବାହ କରିଥିଲେ। ପୂର୍ବରୁ ରଶ୍ମିତାଙ୍କର ଗୋଟିଏ ପୁଅ ଥିଲା ା ବିବାହ ପରେ ତାଙ୍କର ଆଉ ଦୁଇଟି ପୁଅ ହୋଇଥିଲା। ହେଲେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କୌଣସି କାରଣକୁ ନେଇ ଝଗଡ଼ା ହେଉଥିଲା। ଟିକାବାଲି ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ସହ ରଶ୍ମିତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିବାରୁ ଏଭଳି ଅସନ୍ତୋଷ ଦେଖାଯାଇଥିଲା। ସମ୍ପୃକ୍ତ ପ୍ରେମିକ ଏବଂ ତାଙ୍କର ପୁଅମାନେ ବାରମ୍ବାର ବୈକୁଣ୍ଠଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ଗତ ୨୬ ତାରିଖ ଦିନ ସେମାନେ ବୈକୁଣ୍ଠଙ୍କୁ ପିଟିଥିଲେ। ଏଥିରେ ରଶ୍ମିତା ମଧ୍ୟ ସାମିଲ ଥିଲେ। ହେଲେ ସେହିଦିନ ପୁଅ ଆଉ ଘରକୁ ଫେରି ନ ଥିଲା। ସୋମବାର ବୈକୁଣ୍ଠର ମୃତଦେହ ନାରାୟଣୀ ମନ୍ଦିର ପାଖରେ ପଡ଼ିଥିଲା। ମୋ ପୁଅକୁ ସେମାନେ ହତ୍ୟା କରିଛନ୍ତି ବୋଲି ବାପା ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ଘଟଣାସ୍ଥାଳରୁ କିଛି ମେଡିସିନ, ମୋବାଇଲ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଘଟଣାସ୍ଥଳରୁ କିଛି କ୍ଲୋରୋକୁଇନ ବଟିକା ମିଳିଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ କନକ କୁମାର ମାଝି ପ୍ରକାଶ କରିଛନ୍ତି।