କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ପାଟଣା,୨୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର ଏକ କୂଅ ଭିତରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଗ୍ରାମର ମାନସ କୁମାର ପୃଷ୍ଟି ଓରଫ ବାବୁଲ।

ସୂଚନା ଯେ, ମାନସ ଦୁଇଦିନ ହେବ ନିଖୋଜ ଥିବା ବେଳେ ସୋମବାର ସକାଳୁ ତାଙ୍କ ମୃତଦେହ ଗାଁର ଏକ କୂଅରେ ଭାସୁଥିବା ଅବସ୍ଥାରେ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।