୬୦ ହଜାର ଟଙ୍କା ପାଇଁ ବନ୍ଧାପଡ଼ିିଲା ମୃତଦେହ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ରୋଗୀର ଅବସ୍ଥା ଗୁରୁତର କହି ଆଇସିୟୁରେ ଭର୍ତ୍ତି କରୁଛନ୍ତି। ମୃତ୍ୟୁପରେ ସହସ୍ରାଧିକ ଟଙ୍କା ଦାବି କରିବା ସହ ମୃତଦେହକୁ ଛାଡୁନାହାନ୍ତି। ଫଳରେ ସାଧାରଣ ଲୋକେ ଘରୋଇ ହସ୍ପିଟାଲ ଯାଇ ହଟହଟା ହେଉଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ରବିବାର ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି।
ମୁତାବକ, ନୟାଗଡର ସନ୍ତୋଷ ମିଶ୍ର(୬୦)ଙ୍କର ଫୁସଫୁସଜନିତ ସମସ୍ୟା ଦେଖାଦେବାରୁ ଗତ ୫ତାରିଖରେ ତାଙ୍କୁ ନୟାପଲ୍ଲୀ ଅଞ୍ଚଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ନିୟମ ମୁତାବକ ସନ୍ତୋଷଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ ହେଲା। ପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କୋଭିଡ୍‌ ପଜିଟିଭ କହି ଆଇସିୟୁରେ ଭର୍ତ୍ତି କଲେ। ଚିକିତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ନେଇଯିବା ପରେ ରବିବାର ସକାଳେ ସନ୍ତୋଷଙ୍କର ମୃତ୍ୟୁ ଘଟିଲା। ମାତ୍ର ଏବେ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ସନ୍ତୋଷ କୋଭିଡ୍‌ ନେଗେଟିଭ। ଏଣୁ ୬୦ହଜାର ଟଙ୍କା ନ ଦେଲେ ମୃତଦେହ ଦିଆଯିବ ନାହିଁ। ଫଳରେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା କରିଥିଲେ। ପଜିଟିଭ ନ ଥାଇ ଆଇସିୟୁରେ କାହିଁକି ଭର୍ତ୍ତି କରି ଖର୍ଚ୍ଚାନ୍ତ କରାଇଲ, ପଜିଟିଭ ବାହାରିଥିଲେ ସରକାରଙ୍କ ତରଫରୁ ସହଯୋଗ ମିଳିଥାନ୍ତା। ନେଗେଟିଭ ଯୋଗୁ ସାଧାରଣ ରୋଗୀର ମୃତ୍ୟୁ ଘଟିଲେ ସରକାର ଖର୍ଚ୍ଚ ବହନ କରିବେ ନାହିଁ ବୋଲି କହି ସନ୍ତୋଷଙ୍କ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଖବର ପାଇ ନୟାପଲ୍ଲୀ ଥାନା ଅଧିକାରୀ ଶରତ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁୁଝା କରିଥିଲେ। ଆର୍‌ଟି-ପିସିଆର ଟେଷ୍ଟପାଇଁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଆଧାର କାର୍ଡ ଦିଆଯାଇ ନ ଥିବାରୁ ରିପୋର୍ଟ ଆସି ନ ଥିଲା। କେହି ଜଣେ ମେଡିକାଲ କର୍ମଚାରୀ ଭୁଲବଶତଃ ରୋଗୀ ପଜିଟିଭ ବୋଲି କହିଦେଇଥିଲେ, ପରେ କିନ୍ତୁ ନେଗେଟିଭ ବୋଲି ଜଣାପଡ଼ିିଥିଲା। ଭୁଲ ବୁଝାମଣା ଯୋଗୁ ଏପରି ଦ୍ୱନ୍ଦ୍ୱ ଉପୁଜିଥିବା ଥାନା ଅଧିକାରୀ ସାହୁ କହିଛନ୍ତି। କିଛିଦିନ ତଳେ ଏପରି ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ବାରମ୍ବାର ଏହି ଘଟଣା ଘଟୁଥିବାରୁ ସରକାର ଘରୋଇ ହସ୍ପିଟାଲଗୁଡ଼ିକର ମନମାନି ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି।