Categories: ରାଜ୍ୟ

‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ପୁସ୍ତକ ଗବେଷଣାରେ ସହାୟକ ହେବ

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ପୁରୀର ସାଂସ୍କୃତିକ ପରିମଣ୍ଡଳର ଅତୀତ ଓ ବର୍ତ୍ତମାନ ସର୍ବଦା ବୌଦ୍ଧିକ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏହା ଉପରେ ପର୍ଯ୍ୟବସିତ ଡ. ଭାସ୍କର ମିଶ୍ରଙ୍କ ଲିଖିତ ପୁସ୍ତକ ‘ଶ୍ରୀକ୍ଷେତ୍ରର ସାଂସ୍କୃତିକ ଐତିହ୍ୟ’ ଗବେଷକ ତଥା ଜଗନ୍ନାଥ ସଂସ୍କୃତି ପ୍ରେମୀଙ୍କ ପାଇଁ ଉପାଦେୟ ହେବ ବୋଲି ମଙ୍ଗଳବାର ଏହାର ଲୋକାର୍ପଣ ଅବସରରେ ଅତିଥିମାନେ କହିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ ଡ. ଲେନିନ୍‌ ମହାନ୍ତି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଶ୍ରୀକ୍ଷେତ୍ରର ପ୍ରାଚୀନତା, କ୍ଷେତ୍ର ମାହାତ୍ମ୍ୟ, ବିବିଧ ପରମ୍ପରା, ବିଭିନ୍ନ ଦେବଦେବୀ ପୀଠ, ତୀର୍ଥ-ପୁଷ୍କରିଣୀ ଓ ସ୍ବର୍ଗଦ୍ୱାର ଇତ୍ୟାଦି ଉପରେ ପୁସ୍ତକଟିରେ ସବିଶେଷ ତଥ୍ୟ ରହିଥିବା ନିର୍ଦ୍ଦେଶକ ମିଶ୍ର କହିଲେ। ଡ. ମହାନ୍ତି କହିଲେ, ପୁସ୍ତକଟିରେ ପୁରୀ ସମ୍ପର୍କରେ ଅତ୍ୟନ୍ତ ନିବିଡ଼ ଓ ସାରଗର୍ଭକ ଆଲେଖ୍ୟମାନ ସନ୍ନିବେଶିତ ହୋଇଛି। ଲେଖକ ଡ. ମିଶ୍ର ପୁସ୍ତକଟିରେ ପ୍ରଦାନ କରିଥିବା ତଥ୍ୟାବଳୀ ଗବେଷକ, ଅଧ୍ୟାତ୍ମବାଦୀ ଏବଂ ଜିଜ୍ଞାସୁ ପାଠକଙ୍କୁ ସହାୟତା ପ୍ରଦାନ କରିବ ବୋଲି କହିଛନ୍ତି।

Share