କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ୫ ଦଶନ୍ଧିି ପୂର୍ବେ ଏହି ଦ୍ୱୀପର ଲମ୍ବ ୭ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ତଟକ୍ଷୟ ଯୋଗୁ ଏବେ ସେହି ଦ୍ୱୀପର ଲମ୍ବ ୭୦୦ ମିଟରକୁ ଖସି ଆସିଛି । ଫଳରେ ଏହାର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡିଛି । ସମୁଦ୍ରର ଉତ୍ତାଳ ଜୁଆର ଝାଉଁବଣକୁ ଉଜାଡି ଦେଇଛି । ହାତଗଣତି କେତୋଟି ଝାଉଁବୁଦାକୁ ଛାଡିଦେଲେ ଗୋଟିଏ ଛୋଟ କରଞ୍ଜ ଗଛ ଅଛି । ସେହିପରି ବାଘ, ହେଟା, ବିଲୁଆଙ୍କ ବାସସ୍ଥଳ ଥିବା ଏହି ଦ୍ୱୀପରେ ବହୁ ଖୋଜିବା ପରେ ଦେଢ଼ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଏକ ବିରଳ ଏଣ୍ଡୁଅ ଦେଖିବାକୁ ମିଳିଛି । ଏପରି ତଟକ୍ଷୟ ହେଲେ ଆଗାମୀ ୫ ବର୍ଷ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ବାସସ୍ଥଳ ଚଟକା ସମେତ ମହାକାଳପଡା ବ୍ଲକର ସୁନୀତି, ବାବର ଓ ଲାଞ୍ଜୁରା ପଞ୍ଚାୟତ ସମୁଦ୍ର ମୁହଁରେ ଲୀନ ହେବ ବୋଲି ପରିବେଶବିତ୍ମାନେ ଆକଳନ କରିଛନ୍ତି ।
ଅପରପକ୍ଷେ ଅଲିଭରିଡ୍ଲେଙ୍କ ଅଣ୍ଡାଦାନ ପାଇଁ ଅଗରନାଶି ଦ୍ୱୀପରେ ପଡିଥିବା କୁଢ଼କୁଢ଼ ଆବର୍ଜନାକୁ ବନ ବିଭାଗ ଓ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମାନଗ୍ରୁଭ କନ୍ଜରଭେଶନ ସୋସାଇଟି ପକ୍ଷରୁ ସଫା କରାଯାଇଛି । ସୋସାଇଟି ସଭାପତି ଏହି ଦ୍ୱୀପ ସମ୍ପର୍କରେ କହିଛନ୍ତି, କନିକା ଉପସାଗର (ବଙ୍ଗୋପସାଗର)ର ଏହି ଅଞ୍ଚଳର ଲମ୍ବ ୭ କିଲୋମିଟର ଥିଲା । ସେଠାରେ ବହୁ ଝାଉଁଗଛ ଥିବା ବେଳେ ବାଘ, ହେଟା, ବିଲୁଆ, ହରିଣଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ବାସ କରୁଥିଲେ । ମତ୍ସ୍ୟଜୀବୀ ସେଠାରେ ରହି ମାଛକୁ ପାରମ୍ପରିକ ପ୍ରଣାଳୀରେ ଶୁଖୁଆ କରୁଥିଲେ । ୧୯୨୦ରେ ଏହି ଅଞ୍ଚଳର ମାଲିକାନାକୁ ନେଇ କନିକା ଇଷ୍ଟେଟ ଓ କୁଜଙ୍ଗ ଇଷ୍ଟେଟ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ତେବେ ଅଲିଭରିଡ୍ଲେଙ୍କ ଅନ୍ତୁଡିଶାଳ ଭାବେ ଚିହ୍ନଟ ପରେ ଗହୀରମଥା ଅଭୟାରଣ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ଅଛି । ତଟକ୍ଷୟ ସମ୍ପର୍କରେ ପରିବେଶବିତ୍ ହେମନ୍ତ କୁମାର ରାଉତ କହିଛନ୍ତି, ପାରାଦୀପ ବନ୍ଦର ନିର୍ମାଣ ପରେ ସମୁଦ୍ର ଜୁଆର ଏଠି ତୀବ୍ର ହୋଇଛି । ନିକଟସ୍ଥ ପେଣ୍ଠ ଗ୍ରାମକୁ ନିଶ୍ଚିହ୍ନ କରୁଥିବାରୁ ଜିଓ ସିନ୍ଥେଟିକ ଟିଉବ ୱାଲ ନିର୍ମାଣ ହୋଇଛି । ତେବେ ଗଭୀର ସମୁଦ୍ର ମଝିରେ ଥିବା ଅଗରନାଶିର ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ । ଫଳରେ ତଟକ୍ଷୟ ଯୋଗୁ ଏହି ଅଞ୍ଚଳ ନିଶ୍ଚିହ୍ନ ହେବାକୁ ବସିଛି । ଦ୍ୱୀପ ନିଶ୍ଚିହ୍ନ ହେଲେ ସମୁଦ୍ର ଜୁଆର ପେଣ୍ଠ ପରି ସିଧାସଳଖ ସୁନୀତି ପଞ୍ଚାୟତର ଶେଷ ମୁଣ୍ଡରେ ଥିବା ତଣ୍ଡାରେ ବାଡେଇ ହେବ । ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ସୁନୀତି ସମେତ ଲାଞ୍ଜୁରା ଓ ବାବର ପ୍ରତି ସାମୁଦ୍ରିକ ବିପଦ ବଢ଼ିବ । ରାଜ୍ୟ ଓ କେନ୍ଦ୍ର ସରକାର ଏହାର ସୁରକ୍ଷା ପାଇଁ ଅଗରନାଶିରେ ବଡ ବଡ ପଥରରେ ବନ୍ଧ ନିର୍ମାଣ କରିବା ଆବଶ୍ୟକ । ସେହିପରି ତଣ୍ଡା ସମେତ ତଟାଞ୍ଚଳରେ ବ୍ୟାପକ ହେନ୍ତାଳ ବଣ ସୃଷ୍ଟି ହେଲେ କିଛି ମାତ୍ରାରେ ବିପଦ ଟଳିବ ବୋଲି ସେ ପ୍ରକାଶ କରିଛନ୍ତି ।
ଦ୍ୱୀପାଞ୍ଚଳ ସଫେଇ ସମ୍ପର୍କରେ ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ଗହୀରମଥା ସାମୁଦ୍ରିକ ବେଳାଭୂମିରେ ଆସନ୍ତା ଫେବୃୟାରୀରେ ବିରଳ ଅଲିଭରିଡ୍ଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହେବ । ପୂର୍ବରୁ ଏହି ଦ୍ୱୀପରେ ଅଲିଭରିଡ୍ଲେ ଅଣ୍ଡାଦାନ କରୁଥିଲେ । ତେବେ ଗତ କିଛି ବର୍ଷ ମଧ୍ୟରେ ସେଥିରେ ବ୍ୟତିକ୍ରମ ଦେଖାଦେଇଛି । କୌଣସି କାରଣରୁ ଏହି ଦ୍ୱୀପରେ ସେମାନଙ୍କ ସଂଖ୍ୟା କମି ଚାଲିଛି। କଇଁଛ ଶାବକଙ୍କ ଅନ୍ତୁଡିଶାଳକୁ ପରିବେଶ ଉପଯୋଗୀ କରିବା ପାଇଁ ସେଠାରେ ପଡିଥିବା କାଚ, ପ୍ଲାଷ୍ଟିକ ବୋତଲ ସହ କଟା ଜାଲକୁ ସଫା କରାଯାଇଛି । ମରି ପଡିଥିବା କଇଁଛ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ବାଲିରେ ପୋତିଦିଆଯାଇଛି। ଚଳିତ ବର୍ଷ ଏଠାକୁ ଅଧିକ ସଂଖ୍ୟକ କଇଁଛ ଆସିବେ ବୋଲି ସେ ଆକଳନ କରିଛନ୍ତି । ଏ ସମ୍ପର୍କରେ ଡିଏଫ୍ଓ ବିକାଶ ରଞ୍ଜନ ଦାଶ କହିଛନ୍ତି, ତଟକ୍ଷୟ ସମ୍ପର୍କରେ ଅନୁଧ୍ୟାନ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହିତ ତଟାଞ୍ଚଳରେ ବନ ବିଭାଗ ପକ୍ଷରୁ ବନୀକରଣ ହେଉଛି। ଅଲିଭରିଡ୍ଲେଙ୍କ ସୁରକ୍ଷା ପାଇଁ ମତ୍ସ୍ୟଜୀବୀଙ୍କୁ କଟକଣା ସହିତ ଅଣ୍ଡାଦାନ ସ୍ଥଳକୁ ସଫା କରାଯାଇ ସୁରକ୍ଷିତ ଅନ୍ତୁଡିଶାଳରେ ପରିଣତ କରାଯାଉଛି ।