ମେଲବୋର୍ନ, ୧୫ା୯ (ପି.ଟି.)- ଅଷ୍ଟ୍ରେଲିଆନ୍ ଓପନ୍ ଏବଂ ଭାରତକୁ ନେଇ ବକ୍ସିଂ ଡେ’ ଟେଷ୍ଟ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜନ କରିବା ଲାଗି ଯୋଜନା ଚାଲିଛି। ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ଓ ଟେନିସ ଅଷ୍ଟ୍ରେଲିଆ ସହିତ ଆଲୋଚନା ଜାରି ରହିଥିବା ଭିକ୍ଟୋରିଆ ପ୍ରଦେଶ ପ୍ରଧାନମନ୍ତ୍ରୀ ଡାନିଏଲ ଆଣ୍ଡ୍ର୍ୟୁଜ୍ ସୋମବାର ପ୍ରକାଶ କରିଛନ୍ତି। କୋଭିଡ୍-୧୯ ମହାମାରୀକୁ ନେଇ ଭିକ୍ଟୋରିଆ ସଂଘର୍ଷ ଚଳାଇଥିବାରୁ ଏମ୍ସିଜି ବକ୍ସିଂ ଡେ ଟେଷ୍ଟ ଆୟୋଜନ ଅଧିକାର ହରାଇବା ନେଇ କଳ୍ପନାଜଳ୍ପନା ଚାଲିଛି। ଭିକ୍ଟୋରିଆ ଜୁଲାଇଠାରୁ ଲକ୍ଡାଉନ୍ରେ ରହିଛି। ହିସାବ ଅନୁସାରେ ଅଷ୍ଟ୍ରେଲିଆରେ କରୋନା ପଜିଟିଭଙ୍କ ସଂଖ୍ୟା ୨୬,୦୦୦ ରହିଥିବାବେଳେ ୮୦୦ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ଘଟି ସାରିଲାଣି। ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ଭିକ୍ଟୋରିଆର ଏବଂ ସେଠାରେ ମୃତ୍ୟୁର ହାର ମଧ୍ୟ ୯୦ପ୍ରତିଶତ। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ସୁରକ୍ଷା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଇଭେଣ୍ଟରେ କେତେଜଣ ଦର୍ଶକ ରହିବା ଉଚିତ ହେବ ତାହା ନିରୂପଣ କରିବା ମଧ୍ୟ କଠିନ ବ୍ୟାପାର ବୋଲି ଆଣ୍ଡ୍ର୍ୟୁଜ୍ ଏକ ସାକ୍ଷାତ୍କାରରେ ପ୍ରକାଶ କରିଛନ୍ତି। ଗତ ଜାନୁୟାରୀରେ ମେଲବୋର୍ନ ପାର୍କରେ ଅଷ୍ଟ୍ରେଲିଆନ ଓପନ୍କୁ ୮ ଲକ୍ଷରୁ ଅଧିକ ଲୋକ ଉପଭୋଗ କରିଥିଲେ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିଥିଲେ। ତେବେ ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ମେଲବୋର୍ନରେ ଆୟୋଜନ ସମ୍ଭାବନା କମ୍ ମନେହେଉଛି। ମ୍ୟାଚ ଆୟୋଜନ ଦୌଡ଼ରେ ଆଡିଲେଡ୍ ସର୍ବାଗ୍ରେ ରହିଛି।