ବଡ଼ଗାଁ,୨୧।୫(ଡି.ଏନ୍.ଏ.)-ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କିଞ୍ଜିରକେଲା ଗ୍ରାମର ଜଣେ ବାଳକ ମୋବାଇଲରେ ଫ୍ରି ଫାୟାର ଖେଳିବା ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ସୂଚନା ଅନୁଯାୟୀ କିଞ୍ଜିରକେଲା ଗ୍ରାମର ରିତିକରାଜ ବିଶି ଗତ ୩ ବର୍ଷ ହେଲା ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳି ଆସୁଥିଲେ। ମାସେ ପୂର୍ବରୁ ଅଜୟ କୁମାର ସିନ୍ନା ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନରେ ଗେମ ଆଇଡି କିଣିବାକୁ କହିଥିଲେ। ସେ କିଣିବାକୁ ମନା କରିବାରୁ ସମ୍ପୃକ୍ତ ବ୍ୟକ୍ତି ବମ ପକାଇଦେବୁ କହି ଧମକ ଦେଇଥିଲେ। ରିତିକରାଜ ଡରିଯାଇ ଗତ ୧ରୁ କେଉଁ ଦିନ ୨୫୦ ତ କେଉଁଦିନ ୩୦୦ ଟଙ୍କା ଫୋନ ପେ’ରେ ପଠାଇଥିଲେ। ବର୍ତ୍ତମାନ ସୁଦ୍ଧା ୪୫ ହଜାର ଟଙ୍କା ସମ୍ପୃକ୍ତ ବ୍ୟକ୍ତି ନେଇଯାଇଛନ୍ତି। ରିତିକରାଜ ତାଙ୍କ ବାପାଙ୍କ ଆକାଉଣ୍ଟରୁ ଫୋନ ପେ’ରେ ଟଙ୍କା ପଠାଉଥିଲେ। ପାସ୍ବୁକ୍ ଚେକ୍ କଲାବେଳେ ତାଙ୍କ ବାପା ଏହା ଜାଣିପାରିଥିଲେ। ଏ ନେଇ ସେ ଥାନାରେ ମୌଖିକ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମୋବାଇଲରେ ପପ ଜି ଖେଳି କେତେକ ଯୁବକ ଆତ୍ମହତ୍ୟା କରିଥିବାର ଦୃଷ୍ଟାନ୍ତ ରହିଛି। ବର୍ତ୍ତମାନ ଫ୍ରି ଫାୟାର ଖେଳୁଥିବା ଛୋଟ ବୟସର ପିଲାମାନେ ଠକେଇର ଶିକାର ହେଉଥିବା ଦେଖାଗଲାଣି। ପିଲାମାନେ ଅନ୍ଲାଇନରେ ପାଠ ପଢୁଛନ୍ତି ନା ଏଭଳି ଖେଳୁଛନ୍ତି ଅଭିଭାବକମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଠକାମୀରେ ପଡିଥିବା ବାଳକ ଓ ତାଙ୍କ ମା’ଙ୍କୁ ପଚାରିବାରୁ ସେମାନେ ଘଟଣା ସମ୍ପର୍କରେ କହିଥିଲେ।