ଲୋପ ପାଇବ କୁଣ୍ଡପାଟଣାର ପିତଳ କାରିଗରୀ

ଧର୍ମଶାଳା,୮ା୬(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ କୁଣ୍ଡପାଟଣା ଗଁାରୁ ଏବେ ପିତଳ କାରିଗରି ଲୋପ ପାଇବାକୁ ବସିଛି। ପିତଳ କାରିଗରି ପାଇଁ ଏହି ଗଁା ରାଜ୍ୟରେ ପ୍ରସିଦ୍ଧିଲାଭ କରିଥିଲା। ଗଁାରେ ପୂର୍ବରୁ ୧୦୬ ପରିବାର ଶାଳ କରି ପିତଳ ସାମଗ୍ରୀ ତିଆରି କରୁଥିଲେ। ଏହି କାମରେ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ନିଯୁକ୍ତି ହୋଇଥିଲେ। ହେଲେ ଆବଶ୍ୟକ କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନ ଅଭାବ ଯୋଗୁ ଏହି କାମରୁ ଲୋକେ ନିବୃତ ହେଉଥିବା ଗ୍ରାମର କାରିଗର ନବୀନ ସାହୁ, ଶମ୍ଭୁନାଥ ନାୟକ, ଦୀନବନ୍ଧୁ ସାହୁ ଓ ନୃସିଂହ ସାହୁ ପ୍ରମୁଖ କହିଛନ୍ତି। ଏବେ ଗ୍ରାମର ମାତ୍ର ୬ ପରିବାରରେ ଏହି କାମ ସୀମିତ ହୋଇ ରହିଯାଇଛି। ଅନ୍ୟପକ୍ଷରେ ଯୁଗ ବଦଳିବା ସହିତ ମେଶିନ ଦ୍ୱାରା ପିତଳ ସାମଗ୍ରୀ ତିଆରି ହେବା ଫଳରେ ଏହାର ଦର କମ ରହୁଛି। ଏଥିସହିତ ସାମଗ୍ରୀରେ ଫିନିସିଂ ରହୁଥିବାରୁ ଚାହିଦା ବଢୁଛି। ମାତ୍ର କାରିଗରଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀର ଚାହିଦା କମିବାରେ ଲାଗିଛି। ଆଗକୁ ଏହି କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ନ ମିଳିଲେ ଦିନ ଆସିବ ଅଞ୍ଚଳରୁ ପିତଳ କାରିଗରି କାମ ସମ୍ପୂର୍ଣ୍ଣ ଲୋପ ପାଇଯିବ। ସମୟ ଥିଲା ରାଜ୍ୟ ଓ ରାଜ୍ୟ ବାହାରକୁ କୁଣ୍ଡପାଟଣା ଗ୍ରାମରୁ ପିତଳର ହାତତିଆରି ଗରା, ମାଣ୍ଡିଆ, ତସଲା ଓ ଥାଳି ଆଦି ସାମଗ୍ରୀ ବିକ୍ରି ପାଇଁ ପଠାଯାଉଥିଲା। ଏବେ ଏହି କାମ କମିବାରେ ଲାଗିଛି, ଯାହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସରକାର ହସ୍ତଶିଳ୍ପକୁ ଗୁରୁତ୍ୱ ଦେଉଥିବାନେଇ ଡିଣ୍ଡିମ ପିଟୁଥିବାବେଳେ ଏଠାରେ କୌଣସି ପ୍ରକାର ପ୍ରୋତ୍ସହନ ନ ମିଳିବା ସରକାରଙ୍କ ନୀତି ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ତେଣୁ ସରକାର ତୁରନ୍ତ ଏହି ହାତ ତିଆରି ପିତଳ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି।

Share