ନା ଥିଲେ ବ୍ରାହ୍ମଣ ନା ଥିଲା ହୋମ ନିଆଁ, ଏମିତି ଶପଥ ନେଇ ବିବାହ କଲେ ବରକନ୍ୟା; ଜାଣିଲେ କରିବେ ପ୍ରଶଂସା

ଭୋପାଳ,୧୯ା୭: ମଧ୍ୟପ୍ରଦେଶର ସିହୋରରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ନା ଅଗ୍ନିକୁ ସାକ୍ଷୀ ରଖି, ନା ମନ୍ତ୍ରପାଠ, ନା ହୋମ, ବ୍ରାହ୍ମଣ କିଛି ବି ଦରକାର ପଡ଼ି ନ ଥିଲା ଏହି ବିବାହରେ। କେବଳ ବାବା ସାହେବ ଆମ୍ବେଦକରଙ୍କ ଫଟୋକୁ ସାକ୍ଷୀ ରଖି ବରକନ୍ୟା ସାତଫେରା ନେଇଛନ୍ତି। ଲୋଡ଼ା ନ ଥିଲା ମଙ୍ଗଳସୂତ୍ର ଲୋଡ଼ା ନ ଥିଲା ସିନ୍ଦୂର, କେବଳ ସମ୍ବିଧାନର ଶପଥ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବରକନ୍ୟା।

ସମ୍ବିଧାନ ପ୍ରଣେତା ଡ. ବି.ଆର୍‌ ଆମ୍ବେଦକରଙ୍କ ଫଟୋ ସମ୍ମୁଖରେ ଶପଥ କରି ବୈବାହିକ ଜୀବନ ଆରମ୍ଭ କରିଛନ୍ତି ଏହି ନବଦମ୍ପତି। ଏହି ସମୟରେ ଦୁଇ ପରିବାର ଲୋକ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ କରିଛନ୍ତି।

ବର ଦୀପକ ମାଲବ୍ୟ କହିଛନ୍ତି, ଆଜି ମୁଁ ବହୁତ ଗର୍ବିତ। ଆମର ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦରଙ୍କ ଫଟୋ ନିକଟରେ ସାତଫେରା ନେଇଛୁ। ସମାଜର ଅନ୍ୟ ଲୋକମାନେ ମଧ୍ୟ ଏପରି ଆଗକୁ ଆସନ୍ତୁ ଆଉ ବିବାହ କରନ୍ତୁ। ସେହିପରି କନ୍ୟା ଆରତି ମାଲବ୍ୟ କୁହନ୍ତି, ସମ୍ବିଧାନକୁ ସାକ୍ଷୀ ରଖି ଆମେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ। ଏଥିରେ ବହୁତ ଖୁସି ଅନୁଭବ କରୁଛି। ଅଯଥା ଖର୍ଚ୍ଚ ରୋକିବାକୁ ଏପରି ବିବାହର ଆୟୋଜନ କରିଥିଲୁ ବୋଲି ସେ କହିଛନ୍ତି। ନବଦମ୍ପତିଙ୍କ ଏପରି ଉଚ୍ଚକୋଟୀର ଭାବନାକୁ ଚାରିଆଡୁ ପ୍ରଶଂସା କରାଯାଉଛି।

Share