କରୋନା ଭାଇରସ ପୁଣି ଥରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କଲାଣି। ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ମଧ୍ୟ ଟିକା ନେବାକୁ ଅନୁରୋଧ କରୁଛନ୍ତି। ଏହି ସମୟରେ ଆମେରିକାର ବାଲ୍ଟିମୋରର ସାରା ନାମକ ଜଣେ ମହିଳା ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ଏହି ସପ୍ତାହ ଆରମ୍ଭରେ ତାଙ୍କର ବିବାହ ଗାଉନ୍ ପିନ୍ଧି ଟିକା ନେବାକୁ କେନ୍ଦ୍ରରେ ପହଞ୍ଚିଥିଲେ। ସେ ଟିକା ନେବା ପରେ ପୁଣି ଫେରି ଯାଇଥିଲେ ବିବାହ ମଣ୍ଡପକୁ, ଯେଉଁଠି ତାଙ୍କ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ। ମେରୀଲ୍ୟାଣ୍ଡ ଚିକିତ୍ସା ବିଶ୍ୱବିଦ୍ୟାଳୟର କ୍ଲିନିକ୍ର ଟୁଇଟର ପେଜ୍ରେ ସାରାଙ୍କ ୪ଟି ଫଟୋ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି ‘ଏଠାକୁ କନ୍ୟା ଆସିଥିଲେ’।
ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହେଉଛି। ଏହା ଦେଖି ୟୁଜରମାନେ ମହିଳାଙ୍କୁ ପ୍ରଶଂସା କରୁଛନ୍ତି। ଏହି ପୋଷ୍ଟକୁ ୧୦୦୦ରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ବହୁତ ଭଲ। ଯାହା ଲୋକଙ୍କ ପାଇଁ ପ୍ରେରଣାଦାୟୀ।’