Categories: ଫୁରସତ

ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର, ଭିଡିଓ ଦେଖିଲେ କରିବେ ପ୍ରଶଂସା

ଏବେ ବିବାହ ଋତୁ ଆରମ୍ଭ ହୋଇଗଲାଣି। ରାସ୍ତାରେ ଯାଉଥିବା ବର ଏବଂ ବରଯାତ୍ରୀ ଦଳଙ୍କ ଉପରେ ନିଶ୍ଚିତ ଆପଣଙ୍କ ନଜର ପଡୁଥିବ। ବର ସହ ଲମ୍ବା ଧାଡ଼ି ଲାଗି ବରଯାତ୍ରୀ ଆସିବା ସାଧାରଣ କଥା। ଅନେକ ବର କାର୍‌, ଘୋଡ଼ାଗାଡ଼ି, ଟ୍ରକ୍‌, ଟ୍ରାକ୍ଟର, ହେଲିକପ୍ଟରରେ ବସି ଆସୁଥିବା ଦେଖିଥିବେ ବା ଶୁଣିଥିବେ। ମାତ୍ର କେହି କେବେ ଖେଳନା ଘୋଡ଼ାରେ ବର ହୋଇ ଆସିଥିବା ଦେଖିଛନ୍ତି କି? ଯଦି ନା ତେବେ ତଳେ ଥିବା ଭିଡିଓ ଦେଖିଲେ ଜାଣିପାରିବେ।

@imjustbesti ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ ବର ଖେଳନା ଘୋଡ଼ାରେ ବସି ସାଥୀରେ ବରଯାତ୍ରୀ ଧରି ଆସୁଛନ୍ତି। ବର ଜଣକ ଜଣେ ଶିଖ୍‌ ବ୍ୟକ୍ତି। ତାଙ୍କ ସହିତ ଆସିଥିବା ବରଯାତ୍ରୀ ମଧ୍ୟ ଶିଖ୍‌ ସମ୍ପ୍ରଦାୟର। ଖେଳନା ଘୋଡ଼ାରେ ବସିଥିବା ବର ଜଣକ ଖୁବ୍‌ ଖୁସି ଜଣାପଡୁଛନ୍ତି। ତାଙ୍କ ମୁଣ୍ଡ ଉପରେ ଆଉ ଜଣେ ବ୍ୟକ୍ତି ଛତା ଧରିଥିବା ନଜର ଆସିଛନ୍ତି। ପଛରେ ବରଯାତ୍ରୀ ଦଳ ଡ୍ୟାନ୍ସ କରୁଛନ୍ତି। ବର ଖେଳନା ଘୋଡ଼ାରେ ବସି ଚାରିପଟେ ବୁଲୁଛନ୍ତି। ତାଙ୍କୁ ଦେଖି ସମସ୍ତେ ହସୁଛନ୍ତି। କିନ୍ତୁ ଏହା ବରଙ୍କୁ କୌଣସି ଫରକ୍‌ ପଡୁନାହିଁ। ଏହାର କାରଣ ହେଲା ବର ଜଣକ ଚାହୁଁ ନ ଥିଲେ ସେ ଅସଲି ଘୋଡ଼ାରେ ବସନ୍ତୁ। ସେ ଚାହାନ୍ତିନି ଘୋଡ଼ାକୁ କଷ୍ଟ ହେଉ। ଏଥିପାଇଁ ସେ ଖେଳନା ଘୋଡ଼ାରେ ବର ହୋଇ ଆସିବାକୁ ପସନ୍ଦ କଲେ।

ଏହି ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୟୁଜରମାନେ ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ବ୍ୟକ୍ତି ଜଣଙ୍କ ଜଣେ କିମ୍ବଦନ୍ତୀ। ଅନ୍ୟ ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତିଙ୍କ ପ୍ରତି ସମ୍ମାନ ବଢ଼ିଗଲା। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ପଶୁଙ୍କୁ କଷ୍ଟ ଦେବା ଅପେକ୍ଷା ଏପରି କରିବା ବହୁତ ଭଲ।

Share